ଦେବଗଡ଼,ଏନ୍ଏନ୍ଏସ୍ : ଜଣଙ୍କୁ ପ୍ରେମ କରି ଆଉ ଜଣଙ୍କୁ ନିର୍ବନ୍ଧ କରୁଥିବାରୁ ପ୍ରେମିକ ଘର ଆଗରେ ପ୍ରେମିକା ଧାରଣାରେ ବସିଛି। ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ରଘୁନାଥପୁର ଗ୍ରାମରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ମିଳିଥିବା ରିପୋର୍ଟ ମୁତାବିକ, ରଘୁନାଥପୁର ଗ୍ରାମର ଚଉଧୀରୀ ସେଠୀ (୨୪)ନାମକ ଯୁବକ ସେହି ଗ୍ରାମର ଜଣେ ୨୧ବର୍ଷୀୟା ଯୁବତୀଙ୍କୁ ପ୍ରେମ କରୁଥିଲେ । ଗତ ୨୦୧୭ ମସିହାରେ ଯୁବତୀଙ୍କ ପରିବାର ଲୋକେ ଯୁବକକୁ ବାରକୋଟ ଥାନା ପୁଲିସରେ ଜିମା ଦେଇଥିଲେ । ଆପୋଷ ବୁଝାମଣା ପରେ ଦୁହେଁ ନିଜ ନିଜ ଘରେ ରହିଥିଲେ ହେଁ ପ୍ରେମ ସମ୍ପର୍କ ରହି ଆସିଥିଲା। ତେବେ ଇତିମଧ୍ୟରେ ଚଉଧୀରୀଙ୍କ ପରିବାର ଲୋକେ ଅନ୍ୟ ଜଣେ ଯୁବତୀଙ୍କ ସହ ତାଙ୍କ ନିର୍ବନ୍ଧ ତାରିଖ ଧାର୍ୟ୍ୟ କରିଛନ୍ତି। ଚଉଧୀରୀଠାରୁ ଏହି ସୂଚନା ପାଇ ପ୍ରେମିକା ଜଣକ ଗତକାଲି ରାତ୍ରୀ ପ୍ରାୟ ୯ଟା ସମୟରେ ପ୍ରେମିକ ଘରେ ପହଁଚିଥିଲେ। କିନ୍ତୁ ଚଉଧୀରୀଙ୍କ ପରିବାର ଲୋକେ ଯୁବତୀଙ୍କୁ ଘରୁ ତଡ଼ି ଦେଇଥିଲେ। ପରେ ନିଜ ପ୍ରେମିକକୁ ପାଇବା ପାଇଁ ଯୁବତୀ ଜଣକ ଗତକାଲି ରାତିରୁ ଖବର ଲେଖା ହେବା ପର୍ଯ୍ୟନ୍ତ ପ୍ରେମିକ ଘର ଆଗରେ ଧାରଣାରେ ବସିଥିବା ଜଣାପଡ଼ିଛି। ଏହି ଘଟଣା ସମ୍ପୃକ୍ତ ଅଂଚଳରେ ଆଲୋଚନାର ବିଷୟ ହୋଇଥିବା ବେଳେ ଘଟଣାକୁ ନେଇ ଆଜି ଗ୍ରାମରେ ଏକ ବୈଠକ ଆୟୋଜନ କରାଯାଉଥିବା ଜଣାପଡ଼ିଛି ।