ଢେଙ୍କାନାଳ,ଏନ୍ଏନ୍ଏସ୍:ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରୁ କାରରେ ଲକ ହୋଇ ରହିଥିବା ଏକ ଅଢେଇ ବର୍ଷର ଶିଶୁକୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରିଛନ୍ତି। ଆଜି ପୂର୍ବାହ୍ନ ସାଢେ ୧୧ଟା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଓଡି୦୫ଏଜେ-୯୧୮୭ ଧଳା ରଙ୍ଗର ଏକ କାର ଭିତରେ ଏକ ଛୋଟ ଶିଶୁ ଶୋଇଥିବା କିଛି ଲୋକ ଦେଖିଥିଲେ। ହୁଏତ ତା’ର ବାପା, ମା’ ସଙ୍ଗେ ସଙ୍ଗେ ଆସିଯିବେ ଏହା ଲୋକମାନେ ଧରି ନେଇଥିଲେ।
ଏପରିକି ଆଉଟଡୋରରରେ ଲାଗିଥିବା ମାଇକ ଯୋଗେ ମଧ୍ୟ ଘୋଷଣା କରାଯାଇଥିଲା। ତେବେ ୪୫ ମିନିଟ ଧରି କେହି ନ ଆସିବା ଓ ପିଲାର ପାଟିରୁ ଫେଣ ବାହାରିବା ସହ କାନ୍ଦିବାରୁ ମେଡିକାଲର ସିକ୍ୟୁରିଟୀ ଗାର୍ଡ ଓ ସ୍ଥାନୀୟ ଲୋକମାନେ ଉକ୍ତ କାରର ଡୋର ଖୋଲିବାକୁ ଚେଷ୍ଟା କରି ସଫଳ ହୋଇ ନ ଥିଲେ। ଫଳରେ କାଚ ଭାଙ୍ଗି ଡୋର ଖୋଲିବା ପରେ ସେଠାରେ ଉପସ୍ଥିତ ରେଡକ୍ରସର ସ୍ୱେଚ୍ଛାସେବୀ କବିତା ବେହେରା ଶିଶୁଟିକୁ ଉଦ୍ଧାର କରି ଚିକିତ୍ସା ପାଇଁ ନେଇଥିଲେ।
ସେତେବେଳକୁ ଉକ୍ତ ଶିଶୁଟି ନିସ୍ତେଜ ହୋଇପଡିଥିବା ସହ ଥରୁଥିଲା। ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସାଲାଇନ ଦେଇଥିଲେ। ଦିନ ସାଢେ ୧୨ଟା ବେଳେ ଉକ୍ତ ଶିଶୁର ବାପା ଓ ମା’ କାର ନିକଟକୁ ଫେରିବା କ୍ଷଣି ଉପସ୍ଥିତ ଲୋକମାନେ ସେମାନଙ୍କୁ ତିରସ୍କାର କରିବାକୁ ଲାଗିଥିଲେ। ଉକ୍ତ ଶିଶୁର ବାପା ଢେଙ୍କାନାଳ ସହର ଉପକଣ୍ଠ କାଠଗଡା ସାହିର ପ୍ରଦୀପ ମିଶ ସଫେଇ ଦେଇଥିଲେ ଯେ ଇସିଜି ପାଇଁ ମେଡିକାଲ ଆସିଥିଲୁ। ପିଲାଟି ଶୋଇ ପଡିଥିବାରୁ ତାକୁ କାରରେ ରଖି ଚାଲି ଆସିଥିଲୁ। ହେଲେ ଲକ ହୋଇଥିବା କାର ଭିତରେ ଅଢେଇ ବର୍ଷର ଶିଶୁ କନ୍ୟାକୁ ଛାଡି ଆସିବା ଓ ସେ ଶ୍ୱାସରୁଦ୍ଧ ହେବା ସହ ଖରାରେ ସିଝୁଥିବା ନେଇ ଉପସ୍ଥିତ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।