୫ରୁ ମିଶନ ଶକ୍ତି ମେଳା: ରାଜ୍ୟରେ ପ୍ରଥମଥର ପାଇଁ ଅନୁଷ୍ଠିତ ହେବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମିଶନ ଶକ୍ତି ନିର୍ଦ୍ଦେଶାଳୟ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ୍ ଶକ୍ତି ବିଭାଗ ରାଜ୍ୟରେ ପ୍ରଥମଥର ପାଇଁ ଆସନ୍ତା ୫ତାରିଖରୁ ‘ମିଶନ୍ ଶକ୍ତି ମେଳା’ ଆୟୋଜିତ ହେବ। ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟର ବିକ୍ରୟ ପାଇଁ ବିଭାଗ ପକ୍ଷରୁ ଇଡ୍କୋ ପ୍ରଦର୍ଶନୀ ପଡିଆରେ ଏହି ମେଳାର ଆୟୋଜନ କରାଯାଉଛି। ଏହି ମେଳାରେ ୨ଶହଟି ଷ୍ଟଲ ମାଧ୍ୟମରେ ବିଭିନ୍ନ ପ୍ରକାରର ହସ୍ତତନ୍ତ, ହସ୍ତଶିଳ୍ପ, ଜଙ୍ଗଲଜାତ ଦ୍ରବ୍ୟ, ଖାଦ୍ୟ ଜାତୀୟ ଦ୍ରବ୍ୟ,ମସଲା ଏବଂ ଅଣକୃଷି ଜାତୀୟ ଦ୍ରବ୍ୟ ପ୍ରଦର୍ଶନ ଓ ବିକ୍ରୟ କରାଯିବ।

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀମାନଙ୍କ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟର ପ୍ରଦର୍ଶନ ଓ ବିକ୍ରୟ ପାଇଁ ଏହି ମିଶନ ଶକ୍ତି ମେଳା ରାଜ୍ୟ ସରକାରଙ୍କର ଏକ ଅନନ୍ୟ ପ୍ରଚେଷ୍ଟା। ଭୁବନେଶ୍ୱର ଭଳି ସହରାଞ୍ଚଳର ଲୋକମାନଙ୍କ ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ପ୍ରସ୍ତୁତ ଅନନ୍ୟ ତଥା ବିଭିନ୍ନ ପଦାର୍ଥ ବିଷୟରେ ସୂଚନା ଦେବା ଏବଂ ଏହାକୁ ଉପଲବ୍ଧ କରାଇବା ଏହି ମେଳାର ଉଦ୍ଦେଶ୍ୟ।

ଏହା ଗ୍ରାମ ଓ ସହରାଞ୍ଚଳର ମହିଳା ଉତ୍ପାଦକ ଗୋଷ୍ଠୀମାନଙ୍କ ଦ୍ୱାରା ଉତ୍ପାଦିତ ପଦାର୍ଥର ପ୍ରଦର୍ଶନ, ବିକ୍ରୟ ପାଇଁ ବଜାର ବ୍ୟବସ୍ଥା ଓ ଖାଉଟିମାନଙ୍କର ପ୍ରାଥମିକତା ଆଧାରରେ ପଦାର୍ଥଗୁଡିକର ମାନବୃଦ୍ଧି କରାଇବାରେ ବିଶେଷ ସହାୟକ ହେବ। ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳର ମହିଳା ସଶକ୍ତିକରଣ ପାଇଁ ୨୦୦୧ରେ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମିଶନ ଶକ୍ତି ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀଙ୍କୁ ସ୍ଥାୟୀ ରୋଜଗାର ଉତ୍ସ ମାଧ୍ୟମରେ ଦୀର୍ଘ ରୋଜଗାର ଯୋଗାଇଦେବା ଏହାର ପ୍ରମୁଖ ଆଭିମୁଖ୍ୟ।

ଏହି ମେଳାରେ ବିଭିନ୍ନ ପ୍ରକାରର ଗ୍ରାମୀଣ ଦ୍ରବ୍ୟ ଯଥା ହସ୍ତତନ୍ତ, ହସ୍ତକଳା, ଜଙ୍ଗଲଜାତ ଦ୍ରବ୍ୟ, ବିଭିନ୍ନ ଖାଦ୍ୟପଦାର୍ଥ, ମସଲା ଏବଂ ଅଣକୃଷି ଜାତୀୟ ଦ୍ରବ୍ୟ ଇତ୍ୟାଦି ଉପଲବ୍ଧ ହେବ। ଏହି ମେଳାର ଉଦ୍ଘାଟନ କରିବେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଟୁକୁନି ସାହୁ ବୋଲି ମିଶନ ଶକ୍ତି ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମିଶନ ଶକ୍ତିର କମିଶନର ତଥା ଶାସନ ସଚିବ ସୁଜାତା ଆର୍ କାର୍ତ୍ତିକେୟନ ସୂଚନା ଦେଇଛନ୍ତି।

ଏହି ମେଳା ୫ତାରିଖରୁ ଆରମ୍ଭ ହୋଇ ଆସନ୍ତା ୧୬ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେହ ସକାଳ ୧୧ଟାରୁ ରାତି ୯ଟାପର୍ଯ୍ୟନ୍ତ ଚାଲିବ। ୩୦ଟି ଜିଲ୍ଲାର ୨୫୧ଟି ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀରୁ ୫ଶହରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ସେମାନଙ୍କ ଦ୍ରବ୍ୟ ସହିତ ଅଂଶଗ୍ରହଣ କରିବେ।ଏହି ସାମ୍ବାଦିକ ସମ୍ମିଳନୀରେ ମିଶନ ଶକ୍ତିର ଯୁଗ୍ମ ସଚିବ ସୁଧାଂଶୁ ଶେଖର ନାୟକ ଏବଂ ଉପସଚିବ ବିନୋଦ କୁମାର ଜେନା ଉପସ୍ଥିତ ଥିଲେ।