କଟକ,ଏନ୍ଏନ୍ଏସ୍: କଟକ ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ପ୍ରାର୍ଥୀ ଚୟନ ନେଇ ପୂର୍ବାନୁମାନ ଯାହା କରାଯାଉଥିଲା ତାହା ସତ ହୋଇଛି। କିଛିଦିନ ହେବ କଟକ ସହର ରାଜନୀତିରେ ବେଶ୍ ଚର୍ଚ୍ଚିତ ଥିବା ଦଳର ବରିଷ୍ଠ ନେତ୍ରୀ ଗିରିବାଳା ବେହେରାଙ୍କ ଉପରେ ରାଜ୍ୟ ନେତୃତ୍ୱ ଆସ୍ଥା ପ୍ରକଟ କରି ତାଙ୍କୁ ମେୟର ପ୍ରାର୍ଥୀଭାବେ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ କରାଇଛନ୍ତି। କଂଗ୍ରେସର ଫାୟାରବ୍ରାଣ୍ଡ ନେତ୍ରୀଭାବେ ପରିଚିତ ଗିରିବାଳା ହେଉଛନ୍ତି ପୂର୍ବତନ କର୍ପୋରେଟର ଏବଂ ବର୍ତ୍ତମାନର କଟକ ନଗର କଂଗ୍ରେସ ସଭାନେତ୍ରୀ।
ବିଧାୟକ ଭାବେ ମହମ୍ମଦ ମୋକିମ୍ ନିର୍ବାଚିତ ହେବାପରେ ଗିରିବାଳାଙ୍କ ଉପରେ ଭରସାକରି ତାଙ୍କୁ କଟକ ନଗର କଂଗ୍ରେସ ସଭାନେତ୍ରୀ ପଦରେ ବସାଇଥିଲେ। ଗିରିବାଳା ଦାୟିତ୍ୱକୁ ବେଶ୍ ଭଲଭାବରେ ତୁଲାଇଥିଲେ। ଏକବର୍ଷରୁ ଊର୍ଦ୍ଧ୍ୱକାଳ ଏହି ଦାୟିତ୍ୱ ତୁଲାଇ କଟକ ସହର ରାଜନୀତିରେ କଂଗ୍ରେସର ଦ୍ୱିତୀୟ କ୍ଷମତାକେନ୍ଦ୍ର ପାଲଟି ଯାଇଛନ୍ତି ଗିରିବାଳା। ସହରର ବହୁ ସମସ୍ୟାକୁ ନେଇ ବିଭିନ୍ନ ସମୟରେ ଧର୍ମଘଟ, ବିକ୍ଷୋଭ ସମାବେଶ ଆଦି ନିୟମିତ ଭାବେ ସଂଗଠିତ କରି ଜନସମର୍ଥନ ସାଉଁଟିବାରେ ସେ ଏକ ପ୍ରକାର ସଫଳ ହୋଇଛନ୍ତି।
ସିଏମ୍ସି କାଉନ୍ସିଲ ବୈଠକଗୁଡିକରେ ଶାସକଦଳକୁ ସଠିକ୍ ଢଙ୍ଗରେ ସାମ୍ନାକରି ଲୋକଙ୍କ ସମସ୍ୟାକୁ କର୍ପୋରେଟର ଭାବେ ଉପସ୍ଥାପିତ କରୁଥିଲେ ଗିରିବାଳା। ତାଙ୍କ ଯୁକ୍ତି ଅନେକ ସମୟରେ ଶାସକ ଦଳକୁ ଅଡୁଆରେ ପକାଉଥିଲା। ତାଙ୍କର ପରାକାଷ୍ଠା ଉପରେ ଆସ୍ଥାରଖି ତାଙ୍କ ପ୍ରାର୍ଥୀତ୍ୱ ଉପରେ ମୋହର ମାରିଛି କଂଗ୍ରେସ। ଆଜି ବସିଥିବା ପୌର ନିର୍ବାଚନ ସମ୍ପର୍କିତ ବୈଠକରେ ତାଙ୍କୁ ଚୟନ କରାଯାଇଛି। ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ ତାଙ୍କ ନାମ ଘୋଷଣା କରିଥିଲା ବେଳେ ଆଜି ଅପରାହ୍ଣରେ କଟକସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ବିଧାୟକ ମହମ୍ମଦ ମୋକିମ୍, କଂଗ୍ରେସର ବରିଷ୍ଠ ନେତା ସୁରେଶ ମହାପାତ୍ରଙ୍କ ଉପସ୍ଥିତିରେ ଗିରିବାଳଙ୍କ ନାମ ଘୋଷଣା କରାଯାଇଛି।
ଏଥିସହ କଟକ ସହରର ୧୧ଟି କର୍ପୋରେଟର ଆସନ ପାଇଁ ପ୍ରାର୍ଥୀଙ୍କ ନାମ ମଧ୍ୟ ଘୋଷିତ ହୋଇଛି। ଗିରିବାଳା କହିଛନ୍ତି ଯେ ମୋତେ ମେୟର ପ୍ରାର୍ଥୀ ଭାବେ ଚୟନ କରାଯାଇଥିବାରୁ ପ୍ରଦେଶ କଂଗ୍ରେସ ସଭାପତି, ବାରବାଟୀ ବିଧାୟକ ମୋକିମ୍ ଓ ସମସ୍ତ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜଣାଉଛି। ସରକାର କଟକ ସହରକୁ ଅବହେଳିତ କରୁଛନ୍ତି। ଏହା ବିରୋଧରେ ଲଢ଼େଇ କରୁଛୁ, ଆଗକୁ ଆମର ଲଢ଼େଇ ଜାରି ରହିବ। ସହରର ବିଭିନ୍ନ ସମସ୍ୟାକୁ ନେଇ ଆମେ ଲୋକଙ୍କ ପାଖକୁ ଯିବୁ। ଆମେ ଦୁର୍ନୀତି ମୁକ୍ତ ଶାସନ କରିବୁ। ଆଶା ରଖିଛୁ କଟକ ମହାନଗର ନିଗମକୁ ଦଖଲ କରିବୁ। ଏଥିପାଇଁ ରଣନୀତି ପ୍ରସ୍ତୁତି ହୋଇଯାଇଛି ବୋଲି ଗିରିବାଳା କହିଛନ୍ତି।
ସୂଚନାଯୋଗ୍ୟ ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ। ୨୬ ତାରିଖରେ ଭୋଟ୍ ଗଣତି ହେବ। ଆଜିଠାରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ମାର୍ଚ୍ଚ ୯ ତାରିଖରେ ନାମାଙ୍କନପତ୍ର ଯାଞ୍ଚ ଓ ୧୪ ତାରିଖ ସୁଦ୍ଧା ପ୍ରତ୍ୟାହାର ପାଇଁ ସମୟ ଦିଆଯାଇଛି।