୩ ଲକ୍ଷରୁ ଊର୍ଦ୍ଧ୍ୱ ନକଲି ନୋଟ୍ ଜବତ; ଅସଲି ନେଇ ନକଲି ଦେଉଥିଲେ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜ୍ୟରେ ଜାଲ ନୋଟ୍ କାରବାର କରି ବିପୁଳ ଅର୍ଥ ହଡ଼ପ କରୁଥିବା ଦୁଇଜଣ ଯୁବକଙ୍କୁ ଖାରବେଳନଗର ଥାନା ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଗଞ୍ଜାମ ଭଞ୍ଜନଗର ବଡ଼ଧୋବାସାହିର ଏସ୍‌. ସତ୍ୟନାରାୟଣ ପୃଷ୍ଟି(୨୯) ଏବଂ ଜରଦା ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ଗ୍ରାମର ଭୁଲା ପ୍ରଧାନ(୨୮)। ଏମାନଙ୍କ ଠାରୁ ୩ଲକ୍ଷ ୩୧ ହଜାର ୪୦୦ ଟଙ୍କାର ନକଲି ୨୦୦ ଟଙ୍କିଆ ନୋଟ୍ ଜବତ ହୋଇଛି। ଏନେଇ ପୁଲିସ କେସ୍ ନଂ ୬୪/୨୦୨୨ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଦ୍ୱୟଙ୍କୁ ବୁଧବାର କୋର୍ଟ ଚାଲାଣ କରିଛି। ଜାମିନ ଖାରଜ ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ପୁଲିସ ସୂଚନା ଅନୁଯାୟୀ, ଏସ୍‌. ସତ୍ୟନାରାୟଣ ପୃଷ୍ଟି ଜଣେ ଗ୍ରାଜୁଏଟ୍। ପୈତୃକ ଗ୍ରାମରେ ଏକ କୋଚିଂ ସେଣ୍ଟର କରିଛନ୍ତି। ରାତାରାତି ଧନୀ ହେବା ନିଶାରେ କମ୍ପ୍ୟୁଟର ଜ୍ଞାନ ଥିବା ଅଭିଯୁକ୍ତ ଭୁଲା ପ୍ରଧାନ ନାମଙ୍କ ବ୍ୟକ୍ତିଙ୍କ ସହ ସେ ବନ୍ଧୁତା କରିଥିଲେ। ଏହାପରେ ଉଭୟ ନକଲି ନୋଟ୍ କାରବାର କରି ଧନୀ ହେବା ପାଇଁ ମନସ୍ଥ କରିଥିଲେ। ଏହି କାରବାର ନିମନ୍ତେ ସେମାନେ ଗ୍ରାମାଞ୍ଚଳରେ ରହୁଥିବା ସରଳ ଲୋକଙ୍କୁ ଟାର୍ଗେଟ କରିଥିଲେ। ଗ୍ରାମର ସରଳ ଲୋକଙ୍କୁ ୧୦୦୦ ଟଙ୍କା ଦେଲେ ୧୨୦୦ ଟଙ୍କାର ୨୦୦ ଟଙ୍କିଆ ନୋଟ୍ ଦେବାକୁ କହୁଥିଲେ। ପରେ ଜାଲ୍ ନୋଟ୍ ଦେଇ ଠକୁଥିଲେ। ଏହି କ୍ରମରେ ସେମାନେ ଖାରବେଳନଗର ଥାନା ଅଞ୍ଚଳର ଜଣେ ଯୁବକଙ୍କୁ ଠକିଥିଲେ।

ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଖାରବେଳନଗର ଥାନା ପୁଲିସ ଓ ସ୍ପେଶାଲ ସ୍କ୍ୱାଡ୍ ଟିମ୍ ମାଷ୍ଟରକ୍ୟାନ୍ଟିନ ଛକ ନିକଟରେ ଚଢଉ କରି ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ। ପଚରା ଉଚରା ସମୟରେ ଅଭିଯୁକ୍ତ ଭୁଲା ପ୍ରଧାନ ତା ଗାଁରେ ନକଲି ନୋଟ୍ ଛାପା ସରଞ୍ଜାମ ୟୁନିଟ୍ ଥିବା ସ୍ୱୀକାର କରିଥିଲେ। ଏହି ତଥ୍ୟକୁ ଭିତ୍ତି କରି ସ୍ପେଶାଲ ସ୍କ୍ୱାଡ୍ ଟିମ୍ ସୁବର୍ଣ୍ଣପୁରରେ ଥିବା ଘର ଉପରେ ଚଢ଼ଉ କରି ଲାପଟପ୍‌, କଲର ପ୍ରିଣ୍ଟର ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲେ।

-ଏମିତି ଧରାପଡ଼ିଲେ
ଅଭିଯୁକ୍ତଦ୍ୱୟ ଜାଲ୍ ନୋଟ୍ ଛାପି ଲୋକଙ୍କୁ ଠକୁଥିବାବେଳେ ଚାକିରୀ ଦେବାକୁ କହି ମଧ୍ୟ ଠକେଇ କରୁଥିଲେ। ଅଭିଯୁକ୍ତ ଏସ୍‌. ସତ୍ୟ ନାରାୟଣ ପୃଷ୍ଟି ନିଜକୁ ଜଣେ ଉଚ୍ଚପଦସ୍ଥ ଅଧିକାରୀ ବୋଲାଉଥିଲେ। ଏମ୍‌ସିଏଲ୍‌ରେ ଚାକିରି ଦେବା ନାଁରେ ସେମାନେ ଖାରବେଳନଗରର ବିସ୍ମୟ କୁମାର ହୋତା ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୭୫ ହଜାର ଟଙ୍କା ନେଇଥିଲେ। ହେଲେ ପରେ ଚାକିରି ଦେଇନଥିଲେ କି ଟଙ୍କା ବି ଫେରାଇନଥିଲେ।

ମଙ୍ଗଳବାର ସେମାନେ ବିସ୍ମୟଙ୍କୁ ୨୦୦ ଟଙ୍କିଆ ନୋଟ୍ ବଦଳାଇବାକୁ କହିଥିଲେ। ଏମିତିକି ଏହା ବଦଳରେ ଅତିରିକ୍ତ ୧ ଲକ୍ଷ ମିଳିବ ବୋଲି କହିଥିଲେ। ଏନେଇ ବିସ୍ମୟ ୪ ଲକ୍ଷ ୨୫ ହଜାର ଟଙ୍କା ମାଷ୍ଟରକ୍ୟାନ୍ଟିନ୍ ରିଲାଏନ୍ସ ଶୋରୁମ୍ ନିକଟକୁ ନେଇ ଯାଇଥିଲେ। ସେଠାରେ ସେମାନେ ନକଲି ୨୦୦ ଟଙ୍କା ଦେଇ ଅସଲି ଟଙ୍କା ନେଉଥିଲେ। ଏସମ୍ପର୍କରେ ପୁଲିସ ବିଶେଷ ସୂତ୍ରରୁ ଖବରପାଇ ପୁଲିସ ଟିମ୍ ସେଠାରେ ଚଢ଼ଉ କରିଥିଲା। ପରେ ସେଠାରୁ ନକଲି ନୋଟ୍ ଜବତ ହୋଇଥିଲା।

ପୂର୍ବରୁ ଚାକିରି ଦେବା ନାଁରେ ଶିବ ରଞ୍ଜନ ମୁଦୁଲି ନାମକ ବ୍ୟକ୍ତିଙ୍କୁ ଅଭିଯୁକ୍ତଦ୍ୱୟ ୨୦ ଲକ୍ଷ ଟଙ୍କା ଠକିଥିବା ପୁଲିସ କହିଛି। ଏମାନଙ୍କ ନାଁରେ ଖାରବେଳନଗର ଥାନାରେ ପୂର୍ବରୁ ଏକ ମାମଲା ରହିଥିବା ଜଣାପଡ଼ିଛି।