ପତଙ୍ଗ ଅନୁଷ୍ଠାନ ପକ୍ଷରୁ ବହି ହାଟ

ବରଗଡ଼,ଏନ୍ଏନ୍ଏସ୍: କରୋନା ସଂକ୍ରମଣ ଯୋଗୁଁ ବିଦ୍ୟାଳୟଗୁଡିକ ବନ୍ଦ ରହିଥିବାବେଳେ ଛାତ୍ରଛାତ୍ରୀମାନଙ୍କୁ ଠିକ ଭାବରେ ଶିକ୍ଷା ଦାନ ହୋଇପାରୁନାହିଁ। ମୁଖ୍ୟତଃ ଛାତ୍ରଛାତ୍ରୀଙ୍କ ପଢ଼ାକୁ କୌଣସି ସ୍ଥାନରେ ସେତିିକି ଗୁରୁତ୍ୱ ଦିଆଯାଉ ନଥିବା ସହିତ ତୃଣମୂଳସ୍ତରରେ ଥିବା ପିଲା ମାନଙ୍କ ପାଇଁ ପଢିବାକୁ ବହି ଗୁଡିକ ଉପଲବ୍ଧ ହୋଇପାରୁନାହିଁଁ। ଏହି ସବୁକୁ ଦୃଷ୍ଟିରେ ରଖି ତଥା ପିଲାମାନଙ୍କର ଶିଖିବା ପଢିବା ଯେପରି ବାଧାପ୍ରାପ୍ତ ନହେବ ତାକୁ ଦୃଷ୍ଟିରେ ରଖି ପତଙ୍ଗ ଅନୁଷ୍ଠାନ ଦ୍ୱାରା ‘ବହି ହାଟ’(କମ୍ୟୁନିଟି ବେସ୍ଡ ଭାଷା ଲାଇବ୍ରେରୀ)ର ଆୟୋଜନ କରାଯାଇଛି।

ବରଗଡ଼ ସଦର ବ୍ଲକର ବିଭିନ୍ନ ଗ୍ରାମରେ ପତଙ୍ଗ ତରଫରୁ ଅନୁଷ୍ଠିତ ଏହି ବହି ହାଟରେ କୁନି କୁନି ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ପ୍ରକାର ଗପ, ଗୀତ, ରଚନା, ସାଧାରଣ ଜ୍ଞାନ ଆଦି ବହି ଉପଲବ୍ଧ ରହିଛି। ପତଙ୍ଗର କର୍ମକର୍ତ୍ତାମାନେ ଗାଁ ଦାଣ୍ଡରେ ଉପରୋକ୍ତ ପୁସ୍ତକ ଗୁଡ଼ିକ ଉପସ୍ଥାପନା କରୁଥିବା ବେଳେ ବହି ହାଟକୁ ବିଭିନ୍ନ ବର୍ଗର ପିଲାମାନେ (ସ୍କୁଲ ଯାଉଥିବା ଓ ସ୍କୁଲଛାଡି ଥିବା ପୁଅଝିଅ) ଆସି ବିଭିନ୍ନ ପ୍ରକାର ବହି ପଢିବା ସହିତ ବହି ମାଧ୍ୟମରେ ନିଜର ପଢିବାର ଅଭ୍ୟାସକୁ ବିକାଶ କରିପାରୁଛନ୍ତି।

ଏହି କାର୍ଯ୍ୟକ୍ରମରେ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି, ପିତାମାତା, ଯୁବକ ଓ ଯୁବତୀମାନେ ଆସି ପିଲାମାନଙ୍କୁ ଗପ କହିବା, ବହି ପଢ଼ାଇବାରେ ସାହାଯ୍ୟ କରିବା ସହିତ ପିଲାଙ୍କ ଶିକ୍ଷାରେ ଅଂଶୀଦାର ହେଉଛନ୍ତି। ଏହି କାର୍ଯ୍ୟକ୍ରମକୁ ପତଙ୍ଗର କର୍ମକର୍ତ୍ତାଙ୍କ ସହିତ ଶିକ୍ଷକ ଓ ଶିକ୍ଷୟିତ୍ରୀ ତଥା ଗ୍ରାମବାସୀ ପରିଚାଳନା କରୁଛନ୍ତି। ଏହି ବହି ହାଟ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସୂଚନା ମିଳିଥିବା ବେଳେ ଛାତ୍ରଛାତ୍ରୀମାନେ ବେଶ ଉପକୃତ ହୋଇପାରିବେ ବୋଲି ପତଙ୍ଗ ସଂସ୍ଥା ତରଫରୁ ସୂଚନା ଦିଆଯାଇଛି।