ନିକିତା ତୋମାର ହତ୍ୟା ମାମଲାରେ ୨ଜଣ ଦୋଷୀ ସାବ୍ୟସ୍ତ

ଫରିଦାବାଦ: ନିକିତା ତୋମାର ହତ୍ୟାକାଣ୍ଡ ମାମଲାରେ ଫରିଦାବାଦର ଫାଷ୍ଟ୍ରାକ କୋର୍ଟ ମୁଖ୍ୟ ଅଭିଯୁକ୍ତ ତୋସିଫ ଓ ତାଙ୍କ ବନ୍ଧୁ ରେହାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଉଭୟ ଅଭିଯୁକ୍ତଙ୍କୁ ଆଇପିସି ଧାରା ୩୦୨, ୩୪, ୧୨୦ ବି, ୩୬୬ ଓ ୫୧୧ ଆଧାରରେ ଦୋଷୀ ଘୋଷଣା କରାଯାଇଛି। ଏଥିରେ ସମ୍ପୃକ୍ତ ଥିବା ତୃତୀୟ ଅଭିଯୁକ୍ତ ଆଝାରୁଦ୍ଦିନଙ୍କୁ ଦୋଷମୁକ୍ତ କରାଯାଇଥିବା ଜଣାପଡ଼ିଛି। ଆଝାରୁଦ୍ଦିନଙ୍କ ଉପରେ ତୋସିଫଙ୍କୁ ମାରଣାସ୍ତ୍ର ଯୋଗାଇବାର ଆରୋପ ଲାଗିଥିଲା। ଶୁକ୍ରବାର ଦଣ୍ଡାଦେଶକୁ ନେଇ ଯୁକ୍ତି ହେବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବର ୨୬ ଅପରାହ୍ନ ପାଖାପାଖି ୪ଟାରେ ତୋସିଫ ବନ୍ଧୁ ରେହାନଙ୍କ ସହ ମିଶି ନିକାତାଙ୍କ ମୁଣ୍ଡରେ ଗୁଳି ମାରିଥିଲା। ପରେ ଏହି ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଥଲା ଯେଉଁଥିରେ ତୋସିଫ୍ ପ୍ରଥମେ ନିକିତାଙ୍କୁ ଅପହରଣ କରିବାକୁ ଚେଷ୍ଟା କରିଥିଲା। ଏଥିରେ ବିଫଳ ହେବାରୁ ନିକିତାଙ୍କ ମୁଣ୍ଡରେ ଗୁଳି ମାରି ଏକ ଧଳା ଗାଡ଼ିରେ ତୋସିଫ୍ ଫେରାର ହୋଇଯାଇଥିଲା। ଆଉ ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ତୋସିଫ୍ ଓ ରିହାନକୁ ପୁଲିସ ଗିରଫ କରିଥିଲା।