୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ଜୟପୁର,ଏନ୍ଏନ୍ଏସ୍: ଜୟପୁର ସଦର ଥାନା ପୁଲିସ ୧୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଉତ୍ତର ପ୍ରଦେଶର ଯୌନପୁର ଜିଲ୍ଲା ମାରିଆହୁ ଥାନା ପାରାସାଥ୍ ଗ୍ରାମର ମିଥିଲେସ୍ ତିୱାରୀ। ମିଳିଥିବା ରିପୋର୍ଟ ମୁତାବକ, ଏକ ଏଇସର୍ ଟ୍ରକରେ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସୂଚନା ସଦର ଥାନା ଭାରପ୍ରାପ୍ତ ଅଧିକାରୀ ଆଦିତ୍ୟ ମହାଙ୍କୁଡ଼ଙ୍କୁ ମିଳିଥିଲା। ସୂଚନାକୁ ଆଧାର କରି ଓଆଇସିଙ୍କ ନିର୍ଦ୍ଦେଶରେ ସବଇନ୍ସପେକ୍ଟର ପି କେ ମହାନ୍ତି ଏବଂ ଅନ୍ୟ ପୁଲିସ୍ କର୍ମଚାରୀ ଗାଡ଼ିକୁ ପିଛା କରି ୨୬ନଂ ଜାତୀୟ ରାଜପଥର ଆମ୍ବାଗୁଡ଼ା ନିକଟରେ ଠାବ କରିଥିଲେ। ଟ୍ରକକୁ ଯାଞ୍ଚ କରିବା ବେଳକୁ ସେଥିରୁ ୧୦୦ କିଲୋଗ୍ରାମ୍ ଗଞ୍ଜେଇ ମିଳିଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।