ମୋଟୁ ପୁଲିସ ଦ୍ୱାରା ଗଞ୍ଜେଇ ଜବତ: ଜଣେ ଗିରଫ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ମୋଟୁ ଥାନା ଅନ୍ତର୍ଗତ ମାଲାଭରମ ଛକ ନିକଟରୁ ଗଞ୍ଜେଇ ଚୋରା ଚାଲାଣ ବେଳେ ପୁଲିସ ଏକ ପିକଅପ ଗାଡ଼ି ସହ ବହୁ ମାତ୍ରାରେ ଗଞ୍ଜେଇ ଜବତ କରିଛି। ଆଉ ଏଥିରେ ସଂପୃକ୍ତ ଥିବା ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ କର୍ଣ୍ଣାଟକର ବିଦାର ଜିଲ୍ଲା ହୁଲୟଲ ଗ୍ରାମର ଟୁକୁରାମ ବିରୋଦା (୩୯) ବୋଲି ଜଣାପଡ଼ିଛି। ଗାଡ଼ି ଚାଳକଙ୍କଠାରୁ ଗୋଟିଏ ମୋବାଇଲ ସହ ନଗଦ ୧୩୦୦ ଟଙ୍କା ଜବତ କରାଯାଇଛି।

ମିଳିଥିବା ରିପୋର୍ଟ ମୁତାବିକ, ମୋଟୁ ଥାନା ଭାରପ୍ରାପ୍ତ ନିରୀକ୍ଷକ ସୁଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଏସଆଇ ସୋମନାଥ ଦଳବେହେରା, ଏଏସଆଇ ବନମାଳୀ ପ୍ରଧାନଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀମାନେ ମାଲାଭରମ ଛକ ନିକଟରେ ପେଟ୍ର୍ରୋଲିଂ କରୁଥିବାବେଳେ ଉକ୍ତ ରାସ୍ତା ଦେଇ ଦ୍ରୁତ ଗତିରେ ଏକ ନମ୍ବର ବିହୀନ ପିକଅପ୍ ଭ୍ୟାନ ଯାଉଥିବା ଦେଖିଥିଲେ। ସନ୍ଦେହ ହେବାରୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚବେଳେ ଉକ୍ତ ଗାଡ଼ିରୁ ୭ଟି ପଲିଥିନ୍ ବସ୍ତାରେ ୨୭୯କିଲୋ ୫୦୦ ଗ୍ରାମ ଗଞ୍ଜେଇ ମିଳିଥିଲା। ଘଟଣାସ୍ଥଳରୁ ଉକ୍ତ ଗାଡ଼ି, ସେଥିରେ ଥିବା ଗଞ୍ଜେଇ ଜବତ କରିବା ସହ ପୁଲିସ ଚାଳକଙ୍କୁ ଗିରଫ କରିଛି। ମୋଟୁ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।।