ଦେବଗଡ଼,ଏନ୍ଏନ୍ଏସ୍ : ଚାଷ ଜମିରେ ଜଳ ଭାଗବାଣ୍ଟକୁ ନେଇ ଦୁଇ ଜିଲ୍ଲାର ଗ୍ରାମବାସୀଙ୍କ ମଧ୍ୟରେ ଗଣ୍ଡଗୋଳ ଦେଖାଦେଇଛି। ପରେ ପୁଲିସ ହସ୍ତକ୍ଷେପ କରିବା ଯୋଗୁ ଦୁଇ ଗ୍ରାମ ମଧ୍ୟରେ ଦେଖା ଦେଇଥିବା ଗଣ୍ଡଗୋଳ ସାମୟିକ ଭାବେ ନିୟନ୍ତ୍ରଣାଧୀନ ହୋଇଥିଲେ ମଧ୍ୟ ଉତ୍ତେଜନା ଜାରି ରହିଥିବା ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବିକ, ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ନୀଳଗଣ୍ଢିଆ ଗ୍ରାମ ଦେଇ ଯାଇଥିବା ଅରଖାଇ ନାଳ ଉପରେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଚେକଡ୍ୟାମ ନିର୍ମାଣ କରାଯାଇ ନୀଳଗଣ୍ଢିଆ, ଝିମ୍ମାବୀରା ଓ ଖଇରକାନୀ ଗ୍ରାମରେ ଥିବା ଚାଷ ଜମିକୁ ଜଳସେଚନ କରାଯାଇଥାଏ। ମାତ୍ର ଉକ୍ତ ନାଳରେ ଥିବା ଚେକ ଡ୍ୟାମ ମଧ୍ୟରେ ପଡ଼ୋଶୀ ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଅନ୍ତର୍ଗତ ମହୁଲପାଲି ଗ୍ରାମରେ ଉଠା ଜଳସେଚନ ବିଭାଗ ପକ୍ଷରୁ ଉକ୍ତ ଚେକ ଡ୍ୟାମ ମଧ୍ୟରେ ଲିଫ୍ଟ ପଏଣ୍ଟ ସ୍ଥାପନ କରାଯାଉଥିବାରୁ ତଳ ମୁଣ୍ଡକୁ ଜଳ ପ୍ରବାହ ଏକ ପ୍ରକାର ବନ୍ଦ ହୋଇପଡ଼ିବା ଆଶଙ୍କା ଦେଖାଦେଇଛି। ଫଳରେ ତଳ ମୁଣ୍ଡରେ ଥିବା ଉପରୋକ୍ତ ଗ୍ରାମବାସୀଙ୍କ ଚାଷ ଜମିକୁ ଜଳ ପହଚିଂବାରେ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଗ୍ରାମବାସୀମାନେ ପଡ଼ୋଶୀ ଜିଲ୍ଲାର ଲିଫ୍ଟ ପଏଣ୍ଟ ନିର୍ମାଣକୁ ବିରୋଧ କରିଛନ୍ତି।
ଉକ୍ତ ଘଟଣାକୁ ନେଇ ସଂପୃକ୍ତ ନୀଳଗଣ୍ଢିଆ ଗ୍ରାମବାସୀମାନେ ମହୁଲପାଲି ଗ୍ରାମବାସୀଙ୍କ ସହ ଆଲୋଚନା ମାଧ୍ୟମରେ ଘଟଣାର ସମାଧାନ ପାଇଁ ପ୍ରୟାସ କରିଥିଲେ ମଧ୍ୟ ସମାଧାନ ହୋଇନପାରିବାରୁ ଉଭୟ ଗ୍ରାମ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଏହି କ୍ରମରେ ଗତକାଲି ପୁଣିଥରେ ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ହେବାର ସୂଚନା ପାଇ ରିଆମାଳ ଥାନା ଭାରପ୍ରାପ୍ତ ଅଧିକାରୀ ଗୋପବନ୍ଧୁ ବେହେରା ସଦଳବଳେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇ ସମସ୍ୟାର ସମାଧାନ କରିବା ପାଇଁ ପରାମର୍ଶ ଦେଇ ସମସ୍ତଙ୍କୁ ଶାନ୍ତ କରିଥିଲେ। ତେବେ ଏବେ ମଧ୍ୟ ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାରୁ କୌଣସି ମୁହୁର୍ତ୍ତରେ ସାମ୍ଭାବ୍ୟ ଗଣ୍ଡଗୋଳର ଆଶଙ୍କା ଦେଖାଦେଇଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଏହାର ସମାଧାନ ଦିଗରେ କାର୍ଯ୍ୟ କରିବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।