ବୁଧବାରରୁ ଗଞ୍ଜାମ ଜିଲ୍ଲାରୁ ବସ୍ ଚଳାଚଳ ବନ୍ଦ

ବ୍ରହ୍ମପୁର,ଏନ୍ଏନ୍ଏସ୍: ବୁଧବାର ଠାରୁ ଗଞ୍ଜାମ ଜିଲ୍ଲାରୁ ବେସରକାରୀ ବସ୍ ଚଳାଚଳ ଅନିର୍ଦ୍ଦିଷ୍ଟ କାଳଯାଏଁ ବନ୍ଦ ରଖାଯିବ ବୋଲି ବସ୍ ମାଲିକ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସଂଘର ସମ୍ପାଦକ ସନ୍ତୋଷ କୁମାର ପତି। ସିଟି ବସଷ୍ଟାଣ୍ଡ ପରିବର୍ତ୍ତେ ଅସ୍ଥାୟୀ ଭାବେ ସହରର ୪ଟି ସ୍ଥାନ ଆଇଟିଆଇ ନିକଟସ୍ଥ ପଡ଼ିଆ, କର୍ପୋରେସନ ରୋଡ଼ ସ୍ଥିତ ପଡ଼ିଆ, ସିଟି ବସଷ୍ଟାଣ୍ଡ ସମ୍ମୁଖ ଡମ୍ପିୟାଡ୍ ପଡ଼ିଆ ନଚେତ୍ ସିଟି ବସଷ୍ଟାଣ୍ଡର ଅଧାଭାଗ ଯୋଗାଇବାକୁ ଅନୁରୋଧ କରିଛି ବସ୍ ମାଲିକ ସଂଘ। ତେବେ ଏହାକୁ ମଧ୍ୟ ପ୍ରଶାସନ ପ୍ରତ୍ୟାଖ୍ୟାନ କରିଛି। ତେଣୁ ସହର ମଧ୍ୟରେ ଅସ୍ଥାୟୀ ବସ୍ଷ୍ଟାଣ୍ଡ ନଦେବା ପର୍ଯ୍ୟନ୍ତ ବସ୍ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ ବୋଲି ସଂଘ ପକ୍ଷରୁ ଘୋଷଣା କରାଯାଇଛି।

ସୂଚନା ଅନୁଯାୟୀ, ହଳଦିଆପଦର ବସଷ୍ଟାଣ୍ଡ ସ୍ଥାନାନ୍ତରକୁ ନେଇ ଜିଲ୍ଲା ପ୍ରଶାସନ ଓ ବସ୍ ମାଲିକ ସଂଘ ମଧ୍ୟରେ ଚାଲିଥିବା ବିବାଦ ଉଗ୍ରରୂପ ନେଇଛି। ଗୋଟିଏ ପଟେ ସିଟି ବସଷ୍ଟାଣ୍ଡ ସ୍ଥାନାନ୍ତର ପାଇଁ ପ୍ରଶାସନ ଅଣ୍ଟା ଭିଡ଼ିଥିବା ବେଳେ ଘରୋଇ ବସ୍ ମାଲିକ ସଂଘ ଏହାକୁ ତୀବ୍ର ବିରୋଧ କରିଛି। ଉଭୟ ପକ୍ଷ ନିଜ ନିଜ ଜିଦରେ ଅଟଳ ରହିଛନ୍ତି। ସିଟି ବସଷ୍ଟାଣ୍ଡ ଉନ୍ନତିକରଣ ପାଇଁ ଆଜିଠାରୁ ଘରୋଇ ବସ୍ ମାଲିକମାନଙ୍କୁ ତୁରନ୍ତ ବସଷ୍ଟାଣ୍ଡ ପରିସର ଖାଲି କରି ହଳଦିଆପଦର ବସଷ୍ଟାଣ୍ଡକୁ ଯିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ହୋଇଥିଲା। ଏହାକୁ ବିରୋଧ କରି ଗତକାଲି ବସ୍ ମାଲିକ ସଂଘ ଓ ପ୍ରଶାସନ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା।

ଆଜି ସକାଳେ ପ୍ରଶାସନ ପକ୍ଷରୁ ସିଟି ବସଷ୍ଟାଣ୍ଡର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏପରିକି ବସ୍ ମାଲିକମାନଙ୍କୁ ସେମାନଙ୍କ ବସଗୁଡିକୁ ୨୪ ଘଣ୍ଟା ମଧ୍ୟରେ ବସଷ୍ଟାଣ୍ଡରୁ ହଟାଇବାକୁ ପ୍ରଶାସନ କଡ଼ା ନିର୍ଦ୍ଦେଶ ଦେଇଥିଲା। ଅପରପକ୍ଷରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ମଧ୍ୟ ଜିଲ୍ଲା ସଂଘକୁ ସମର୍ଥନ ଜଣାଇଥିବା ସୂଚନା ଦେଇଛନ୍ତି। ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଏ ନେଇ ପ୍ରଶାସନ ସହ ଆଲୋଚନା ଜାରି ରଖିଥିବା ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ କୁହାଯାଇଛି।