କ୍ରାଇମବ୍ରାଞ୍ଚ ପାଇଁ ଚିନ୍ତା ବଢ଼ାଉଛି ସାଇବର ଅପରାଧ: ହଜାରେ କନଷ୍ଟେବଳଙ୍କୁ ମିଳିବ ସାଇବର ତାଲିମ

ଖୋଲିବ ସୋସିଆଲ ମିଡିଆ ମନିଟରିଂ ସେଲ୍

କଟକ,ଏନ୍ଏନ୍ଏସ୍: ସମ୍ପ୍ରତି ସାଇବର ଅପରାଧକୁ ରୋକିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ରାଜ୍ୟରେ ୨୦୧୯ ସେପ୍ଟେମ୍ବର ସୁଦ୍ଧା ୮୬୫ଟି ସାଇବର ଅପରାଧ ପଞ୍ଜିକୃତ ହୋଇଛି ଏବଂ ଏଥିରେ ୪ ମହିଳାଙ୍କ ସମେତ ୨୧୮ ଜଣକୁ ଗିରଫ କରାଯାଇଛି। ୨୦୧୮ରେ ୮୬୭ଟି ମାମଲା ପଞ୍ଜିକୃତ ହୋଇ ୨୬୪ ଜଣକୁ ଗିରଫ କରାଯାଇଛି। ୨୦୧୭ରେ ୧୯୫ ଜଣକୁ ଗିରଫ କରାଯାଇଥିବା ବେଳେ ୮୨୪ଟି ସାଇବର ମାମଲା ପଞ୍ଜିକୃତ ହୋଇଛି। ୨୦୧୬ ମସିହାରେ ୩୧୭ଟି ମାମଲା ରେଜିଷ୍ଟ୍ରିଭୁକ୍ତ ହୋଇଥିବା ବେଳେ ୯୯ ଜଣ ଗିରଫ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ସାଇବର କ୍ରାଇମ୍ ପୁଲିସ ପାଇଁ ଏକ ଚାଲେଞ୍ଜ ସୃଷ୍ଟି କରିଛି। ଏହାର ମୁକାବିଲା କରିବା ପାଇଁ ଉପଯୁକ୍ତ ତଦନ୍ତ ତଥା ନୂତନ ଜ୍ଞାନ କୌଶଳ ବ୍ୟବହାର ଉପରେ କ୍ରାଇମ୍ବ୍ରାଞ୍ଚ ଏବେ ଗୁରୁତ୍ୱ ଦେଇଛି।

କେବଳ ସେତିକି ନୁହେଁ ଅପରାଧର ତଦନ୍ତ କରୁଥିବା ଅଧିକାରୀ ଓ କନଷ୍ଟେବଳମାନଙ୍କୁ ସମ୍ପ୍ରତି କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ପ୍ରଶିକ୍ଷଣ ଦିଆଯାଉଛି। ପ୍ରାୟ ବିଭିନ୍ନ ରେଞ୍ଜସ୍ତରରେ ମୋଟ ୧୦୦୦ କନେଷ୍ଟବଳଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି କ୍ରାଇମ୍ବ୍ରାଞ୍ଚ ଆଡିସନାଲ ଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି। ୩୪୦ ଜଣକୁ ସମ୍ବଲପୁର, ଅନୁଗୁଳ ଏବଂ ରାଉରକେଲାରେ ପ୍ରଶିକ୍ଷଣ ଦିଆଯାଉଛି। ୨୦୨୦ ମସିହା ସୁଧା ଏହି ପ୍ରଶିକ୍ଷଣ କାର୍ଯ୍ୟ ଶେଷ ହେବ।

ବିଶେଷକରି ସୋସିଆଲ ମିଡିଆରେ ସାଇବର ଅପରାଧ ବୃଦ୍ଧି ପାଉଥିବାରୁ ଏହା ଉପରେ ଗୁରୁତ୍ୱ ଦିଆଯାଇଛି। ଭୁବନେଶ୍ୱରରେ ନୂତନ ସାଇବର ଥାନାରେ କ୍ରାଇମ୍ବ୍ରାଞ୍ଚର ଏକ ସୋସିଆଲ ମିଡିଆ ମନିଟରିଂ ସେଲ୍ ଖୋଲାଯିବ। ପୁନଶ୍ଚ ରିଜିଓନାଲ୍ ସାଇବର କ୍ରାଇମ୍ କୋର୍ଡିନେସନ ସେକ୍ଟରକୁ ମଧ୍ୟ ଖୁବ୍ଶୀଘ୍ର ଖୋଲାଯିବ ଏବଂ ଏହାର ନୋଡାଲ ଏଜେନ୍ସି ଭାବେ କ୍ରାଇମ୍ବ୍ରାଞ୍ଚ କାର୍ଯ୍ୟ କରିବ। ଏହା ଦ୍ୱାରା ସାଇବର କ୍ରାଇମ୍ ଉପରେ ତୀକ୍ଷ୍ଣ ନଜର ରଖାଯିବ।

ସେହିଭଳି ଜାତୀୟସ୍ତରରେ ନ୍ୟାସନାଲ ସାଇବର କ୍ରାଇମ୍ ରିପୋର୍ଟିଂ ପୋର୍ଟାଲ କାର୍ଯ୍ୟ କରୁଛି। ଏଥିରେ ରାଜ୍ୟରେ ଘଟୁଥିବା ୨୧୬ଟି ସାଇବର କ୍ରାଇମ୍ ଅଭିଯୋଗ ଆସିଛି ଏବଂ ଏସବୁର ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଭୁବନେଶ୍ୱର ସାଇବର ଥାନା ନିକଟରେ ସାଇବର ଫୋରେନସିକ୍ ଲାବୋରୋଟୋରୀ ସ୍ଥାପନ କରାଯାଇଛି। ଏଥିରେ ପୁଲିସ ଅଧିକାରୀ ଏବଂ ପ୍ଲବ୍ଲିକ୍ ପ୍ରୋସିକ୍ୟୁଟରମାନଙ୍କୁ ଟ୍ରେନିଂ ଦିଆଯାଉଛି। ଏହାଛଡ଼ା ଏକ ଅଫିସିଆଲ ଫେସବୁକ୍ ପେଜ୍ ମଧ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ଖୋଲାଯିବ ବୋଲି ଆଡିସନାଲ ଡିଜି ଶ୍ରୀ ଉପାଧ୍ୟାୟ ସୂଚନା ଦେଇଛନ୍ତି।