ଏବେ ଖୋଲିବନି ଶ୍ରୀମନ୍ଦିର ରତ୍ନଭଣ୍ଡାର: ରତ୍ନଭଣ୍ଡାରରେ ରହିଛି ୪୫୪ଟି ସୁନା ଓ ୨୩୬ଟି ରୁପା ଅଳଙ୍କାର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଶ୍ରୀମନ୍ଦିର ରତ୍ନକୁ ଅନୁଧ୍ୟାନ କରିବା ନିମନ୍ତେ ଏବେ ଭିତର ରତ୍ନଭଣ୍ଡାର ଖୋଲିବାର କୌଣସି ପ୍ରସ୍ତାବ ନାହିଁ। ତେବେ ୧୯୭୮ ମସିହା ମେ’ ୧୩ ଠାରୁ ଜୁଲାଇ ୨୩ ତାରିଖ ମଧ୍ୟରେ ତାଲିକା କରାଯାଇଥିବା ସୁନା, ରୂପା ସାମଗ୍ରୀ ସୁରକ୍ଷିତ ରହିଛି ବୋଲି ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି। ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଭିତର ରତ୍ନଭଣ୍ଡାର ୧୯୮୫ ମସିହା ଜୁଲାଇ ୧୪ ତାରିଖରେ ଶେଷଥର ପାଇଁ ଖୋଲାଯାଇଥିଲା।

ଏହି ସମୟରେ ରତ୍ନ ଅଳଙ୍କାର, ସାମଗ୍ରୀ ଏବଂ ମୂର୍ତ୍ତି ଇତ୍ୟାଦି ରତ୍ନଭଣ୍ଡାରରେ ଗଚ୍ଛିତ ରହିଥିଲା। ୪୫୪ଟି ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ସମେତ ୧୨ ହଜାର ୮୩୮ଭରି ଛଅ ଅଣାର ମୂଲ୍ୟବାନ ପଥର ଏବଂ ୨୩୬ଟି ରୂପା ଅଳଙ୍କାର ରହିଥିବା ଆକଳନ କରାଯାଇଥିଲା। ଏହି ଅଳଙ୍କାର ସାମଗ୍ରୀ ମଧ୍ୟରୁ ୮ ଟି ସୁନା ମୂର୍ତ୍ତି, ୬ଟି ରୂପା ବାସନ ଓ ମୂର୍ତ୍ତି ବିଭିନ୍ନ କାରଣରୁ ଓଜନ ହୋଇପାରିନଥିବାରୁ ଏହାର ପରିମାଣ ଆକଳନ କରାଯାଇନାହିଁ। ତେଣୁ ଏହା ଉପରୋକ୍ତ ଓଜନ ମଧ୍ୟରେ ଅନ୍ତର୍ଭୁକ୍ତ ନୁହେଁ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ରତ୍ନ ଭଣ୍ଡାରର ଅଡିଟ୍ ସହ ସମସ୍ତ ଅଳଙ୍କାର ତାଲିକା ସାର୍ବଜନୀନ କରାଯିବା ପାଇଁ ପଦକ୍ଷେପ ନିଆଯାଇନାହିଁ ବୋଲି ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି।