କୋରାପୁଟ,ଏନ୍ଏନ୍ଏସ୍ : ମାଛକୁଣ୍ଡ ଥାନା ଓ ଲମତାପୁଟ ଫାଣ୍ଡି ପୁଲିସ ଗୁରୁବାର ରାତିରେ ୪ଲକ୍ଷ ଟଙ୍କାର ଗଞ୍ଜେଇ ସହ ଏକ ବଲେରୋ ଜବତ କରି ୨ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି। ଗିରଫ ୨ଜଣ ହେଲେ ଦିଲ୍ଲୀର ରାଜିଆ ପାଶ୍ୱାନ୍ ଓ ବିହାରର ଛତୁରାମ। ମାଛକୁଣ୍ଡ ଥାନାଧିକାରୀ ପ୍ରଫୁଲ କୁମାର ଲାକ୍ରାଙ୍କ ନେତୃତ୍ୱରେ ଚୋରା ଗଞ୍ଜେଇ ଧରପଗଡ଼ ପାଇଁ ରାତ୍ରୀକାଳୀନ ପେଟ୍ରୋଲିଂ ସମୟରେ ଏକ ବଲେରୋ ଗାଡ଼ିକୁ ଅଟକାଇଥିଲେ। ହେଲେ ବଲେରୋ ଜିପ୍ ଦ୍ରୁତ ଗତିରେ ଚାଲି ଯାଉଥିବାବେଳେ ପେଟ୍ରୋଲିଂ ଟିମ୍ ପିଛା କରି କନାଗାଁ ଛକରେ ଗାଡ଼ିକୁ ଧରିଥିଲେ। ବଲେରୋକୁ ମାଛକୁଣ୍ଡ ଥାନାକୁ ନେଇ ଯାଞ୍ଚ କରିବା ବେଳକୁ ସିଟ୍ ତଳୁ ୧୩୪ କିଲୋ ୬୦୦ ଗ୍ରାମ୍ ଗଞ୍ଜେଇ ମିଳିଥିଲା। ଜବତ ଗଞ୍ଜେଇ ଆନ୍ଧ୍ରପ୍ରଦେଶରୁ ବିହାରକୁ ଚାଲାଣ ହେଉଥିବା ଜଣାପଡ଼ିଛି।