କୋରାପୁଟରେ ପହଞ୍ଚିଲା ୮,୩୦୦ ଡୋଜ୍ କୋଭିସିଲ୍ଡ

କୋରାପୁଟ,ଏନ୍ଏନ୍ଏସ୍: ଜିଲ୍ଲା ସଦର ମହକୁମାସ୍ଥିତ ଆଞ୍ଚଳିକ ଟିକା କେନ୍ଦ୍ରରେ ୮,୩୦୦ ଡୋଜ କୋଭିଡ ଟିକା ‘କୋଭିସିଲ୍ଡ’ ପହଞ୍ଚିଛି। ଏହି ଅବସରରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଆଞ୍ଚଳିକ ଟିକା କେନ୍ଦ୍ର ପରିଦର୍ଶନ କରିଛନ୍ତି। ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ, ଡେପୁଟି କଲେକ୍ଟର ଅର୍ଚ୍ଚନା ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମକରନ୍ଦ ବେଉରା , ଏଡିପିଏଚଓ(ପରିବାର କଲ୍ୟାଣ) ଡା. ନୀଳମାଧବ ଶତପଥୀ, ଏଡିପିଏଚଓ(ମ୍ୟାଲେରିଆ) ଡା. ଏସ.ଦାସ, ଏଡିପିଏଚଓ(ଡିସି) ଡା. ସ୍ମୃତି ରଞ୍ଜନ ପଟ୍ଟନାୟକ ଓ ସ୍ୱାସ୍ଥ୍ୟ ମିଶନ ଡିପିଏମ ଶୁଭକାନ୍ତ ଗନ୍ତାୟତ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ମୁଖ୍ୟ ହସ୍ପିଟାଲ୍ ଜୟପୁର, ବୋରିଗୁମ୍ମା ଓ ମାଥାଲପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଜି କୋଭିଡ ଟିକା ପଠାଯାଇଥିବାବେଳେ ଶନିବାର ସକାଳେ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ କୋରାପୁଟସ୍ଥିତ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରକୁ କୋଭିଡ୍ ଟିକା ପଠାଯାଇ ଟୀକାକରଣ ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି। ପ୍ରତି ଟିକାଦାନ କେନ୍ଦ୍ରରେ ଦିନକୁ ୧୦୦ଜଣ ବ୍ୟକ୍ତି ଟିକା ନେଇପାରିବେ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ଟିକାକରଣ ପରିଚାଳନା ନିମନ୍ତେ ପ୍ରତି କେନ୍ଦ୍ରରେ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତ କରାଯିବ। ୧୬ ତାରିଖରେ ପ୍ରଧାନମନ୍ତ୍ରୀ ଟିକାକରଣ ଉତ୍ସବର ଉଦଘାଟନ କରିବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲାର ଜଣେ ଲେଖାଏଁ ହିତାଧିକାରୀଙ୍କ ସହ ଅନୁଭୂତି ସମ୍ପର୍କରେ ଆଲୋଚନା କରିବା କାର୍ଯ୍ୟକ୍ରମ ରହିିଛି। ଅନ୍ୟପଟେ ଗାନ୍ଧିନଗରସ୍ଥିତ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଜିଲ୍ଲାସ୍ତରୀୟ ଟିକାକରଣ କାର୍ଯ୍ୟକ୍ରମ ଉଦଘାଟନ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ବେଉରା ସୂଚନା ଦେଇଛନ୍ତି। କୋରାପୁଟ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୧୨ ହଜାର ୩୫୦ ଜଣ ବ୍ୟକ୍ତି ଟିକା ନେବେ ବୋଲି ସ୍ଥିର ହୋଇଛି।