ୱାର୍ଡ ପୁନର୍ଗଠନ ପାଇଁ ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବିପତ୍ର ପ୍ରଦାନ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ପୌର ପରିଷଦ ଗଠନ ହେବାର ଦୀର୍ଘ ୧୧୬ ବର୍ଷ ବିତିଯାଇଥିଲେ ମଧ୍ୟ ପୌର ପରିଷଦର ୱାର୍ଡ ସଂଖ୍ୟାରେ ବୃଦ୍ଧି ଘଟି ନଥିବାରୁ ଜନସାଧାରଣ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାର ଲାଭ ପାଇବାରୁ ବଞ୍ଚିତ ହେଉଛନ୍ତି। ଦେବଗଡ଼ ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ପୌର ପରିଷଦ ୱାର୍ଡ ସଂଖ୍ୟାକୁ ବୃଦ୍ଧି ପାଇଁ ଆଜି ଦେବଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ଆଜି ପୂର୍ବାହ୍ଣରେ ଜିଲ୍ଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁଙ୍କ ନେତୃତ୍ୱରେ ବହୁ ଦଳୀୟ ପଦାଧିକାରୀ ଓ କର୍ମକର୍ତ୍ତା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ଉପ-ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ବ୍ରଜ ବନ୍ଧୁ ଭୋଇଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ରରେ ଦେବଗଡ଼ ପୌରାଞ୍ଚଳରେ ଦିନକୁ ଦିନ ଲୋକସଂଖ୍ୟା ବୃଦ୍ଧି ପାଇବା ସହ ସହରରେ ନୂତନ କୋଠା ତିଆରି ହୋଇ ନୂତନ ଜନବସତି ସୃଷ୍ଟି ହେଉଛି। ଏହି ମଧ୍ୟରେ ଇଂରେଜ ଅମଳ ୧୯୦୪ରୁ ଦେବଗଡ଼ ପୌରପରିଷଦ ଗଠନ ହୋଇଥିବା ବେଳେ ଦୀର୍ଘ ଏକ ଶତାବ୍ଦୀରୁ ଊର୍ଦ୍ଧ୍ୱ ସମୟ ହେବ ପୌର ପରିଷଦର ୱାର୍ଡ ସଂଖ୍ୟାରେ ବୃଦ୍ଧି ହୋଇନାହିିଁ। ଫଳରେ ଜନସାଧାରଣ ବିଭିନ୍ନ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି। ତେଣୁ ଏହି ପୌର ପରିଷଦରେ ନୂତନ ଭାବେ ଆହୁରି ୭ଟି ୱାର୍ଡ ଗଠନ କରିବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି।

ସେହିପରି ନୂତନ ୱାର୍ଡ ଗଠନ ବେଳେ ତିଳେଇବଣି ବ୍ଲକର କୁରଡ଼, ବଣିଆକିଲିଣ୍ଡା ଓ ସାମନ୍ତରାପାଲିକୁ ପୌରପରିଷଦରେ ସାମିଲ କରିବାକୁ ଦାବି କରାଯାଇଛି। ଦଳ ପକ୍ଷରୁ ଏହି ଦାବିପତ୍ରର ନକଲ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ନଗର ଗୃହ ଉନ୍ନୟନ ମନ୍ତ୍ରୀଙ୍କ ନିକଟକୁ ମଧ୍ୟ ପଠାଯାଇଛି। ଏହି ଦାବି ପତ୍ର ପ୍ରଦାନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ମଞ୍ଜୁଲତା ନାୟକ, ଏସଟି ସେଲ ସଭାପତି କ୍ଷେତ୍ର କୁମାର ପାତ୍ର, ଏସସି ସେଲ ସଭାପତି ମଞ୍ଜୁଳ ନାଏକ, ତିଳେଇବଣି ବ୍ଲକ୍ କଂଗ୍ରେସ ସଭାପତି ଗଣେଶ କୁମାର ପ୍ରଧାନ, ନଗର ସଭାପତି ପ୍ରକାଶ କୁମାର ଦେବତା, ପୂର୍ବତନ ନଗର ସଭାପତି ସୁବାସ ଚନ୍ଦ୍ର ଭୋଇ, ବରିଷ୍ଠ କଂଗ୍ରେସ ନେତା ବସନ୍ତ କୁମାର ମିଶ୍ର, ପ୍ରମୋଦ କୁମାର ମିଶ୍ର, ବିକାଶ କୁମାର ଖଡିରତ୍ନ, ଶମ୍ଭୁ ଲାଲ ପ୍ରଧାନ, ପଞ୍ଚୁ ଲାଲ ବରାଇ, ସୁଶୀଲ କୁମାର ନାୟକ ଓ ଦୀପକ କୁମାର ଦାସଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ।