ବୋଲେରୋ ଛାତରୁ ଗଞ୍ଜେଇ ଜବତ, ୨ ଗିରଫ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲା ପୁଲିସକୁ ମିଳିଛି ବଡ଼ ସଫଳତା। ବୋଲେରୋ ଛାତରେ ସ୍ୱତନ୍ତ୍ର କେବିନ୍ କରି ଅତି ଚତୁରତାର ସହ ଗଞ୍ଜେେଇ ଚାଲାଣ କରା ଯାଉଥିବାବେଳେ ଜୟପୁର ସଦର ପୁଲିସର ଉପସ୍ଥିତ ବୁଦ୍ଧି ଯୋଗୁଁ ୨ଜଣ ଚୋରା ଗଞ୍ଜେଇ ମାଫିଆ ଗିରଫ ହୋଇଥିବାବେଳେ ୧୦୧ କେଜି ଗଞ୍ଜେଇ ଜବତ ହୋଇଛି। ସୂଚନା ଅନୁସାରେ,ଏକ ନମ୍ବର ବିହୀନ ଏକ ଧଳା ରଙ୍ଗର ବୋଲେରୋରେ କୋରାପୁଟରୁ ଜୟପୁର ଗଞ୍ଜେଇ ଚାଲାଣ ହେଉଥିବା ଖବର ଜୟପୁର ସଦର ଥାନା ଓଆଇସି ଏ.ମହାଙ୍କୁଡଙ୍କୁ ମିଳିଥିଲା।

ଏନେଇ ଏ.ମହାକୁଡ, ଏଏସଆଇ ଏସକେ.ସାମଲ୍ ଓ ଅନ୍ୟମାନେ ଉମୁରୀ ନିକଟ ରେଳୱେ ଓଭର୍ ବ୍ରିଜ ନିକଟରେ ଗାଡିକୁ ଅପେକ୍ଷା କରି ରହିଥିଲେ। ବୋଲେରୋ ଆସିବା ମାତ୍ରେ ଅଟକାଇ ଯାଞ୍ଚ କରିବା ବେଳେ ଗାଡି ଛାତରେ ଏକ କ୍ୟାବିନରେ ଗଞ୍ଜେଇ ଭର୍ତ୍ତି ହୋଇଥିଲା। ପୁଲିସ ଏହି ଘଟଣାରେ ବିହାରର ନୟାତାଲା ଅଞ୍ଚଳର ସୁରେନ୍ଦ୍ର ପ୍ରସାଦ(୪୧) ଏବଂ ବାଦଲ୍ କୁମାର(୨୩)କୁ ଗିରଫ କରିଛି। ଗାଡିରୁ ୧୦୧ କେଜି ଗଞ୍ଜେଇ ଜବତ କରିଥିବାବେଳେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।