କୋଭିଡ ଟିକାକରଣ ଡ୍ରାଏ ରନ୍

କୋରାପୁଟ,ଏନ୍ଏନ୍ଏସ୍: କୋଭିଡ୍ ଟିକାକରଣ ନିମନ୍ତେ ଜିଲ୍ଲା ସଦର ମହୁକୁମାସ୍ଥିତ ଗାନ୍ଧି ନଗର ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଡ୍ରାଏ ରନ୍ ଟେଷ୍ଟିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଟିକାକରଣ ପୂର୍ବ ପ୍ରସ୍ତୁତି, ଟିକାକରଣ ଓ ବିଶ୍ରାମଗୃହ ଗୁଡିକୁ ଜିଲ୍ଲାପାଳ ମଧୁସୂଦନ ମିଶ୍ର ପରିଦର୍ଶନ କରିବା ସହ ବିଶ୍ରାମ ଗୃହରେ ଗୋଟିଏ ଶଯ୍ୟା ବଦଳରେ ୩ ଟି ଶଯ୍ୟା ରଖିବାକୁ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବ ପ୍ରସ୍ତୁତିରେ କିପରି ଟିକାକରଣ କରାଯିବ ତାହା ଦେଖିଥିଲେ। ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ, ସିଡିଏମଓ ଡା. ମକରନ୍ଦ ବେଉରା, ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡା. ସୁଶାନ୍ତ ଦାସ, ଡିପିଏଚଓ ଡା. ଅରୁଣ କୁମାର ପାଢୀ, ସ୍ୱାସ୍ଥ୍ୟ ମିଶନ ଡିପିଏମ ଶୁଭକାନ୍ତ ଗନ୍ତାୟତ, ଡା. ରେଣୁକା ଦାସ,ଏପିଏମ ଭାଗ୍ୟଲକ୍ଷ୍ମୀ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

କୋରାପୁଟ ଜିଲ୍ଲାରେ ଟିକାକରଣ ନିମନ୍ତେ ୧୬୨୪ ଟି କେନ୍ଦ୍ର ଚିହ୍ନଟ କରାଯାଇଥିବା ସିଡିଏମଓ ଡା. ବେଉରା ସୂଚନା ଦେଇଛନ୍ତି। ୩୯ଟି କେନ୍ଦ୍ରରେ ଟୀକା ମହଜୁଦ ରଖାଯିବ ବୋଲି ସେ ପ୍ରକାଶ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୧୨୦୭୬ ଜଣ ସ୍ୱାସ୍ଥ୍ୟକର୍ମୀ ,ଏଏନଏମ୍, ସୁପରଭାଇଜର, ଷ୍ଟାଫନର୍ସ , ଡେଣ୍ଟିଷ୍ଟ ଓ ଏମବିବିଏସ୍ ଟିକା ନେବେ ବୋଲି ସିଡିଏମଓ ସୂଚନା ଦେଇଛନ୍ତି।