ଗଙ୍ଗାନଗର ଟ୍ରିପଲ ମର୍ଡରରେ ନୂଆ ମୋଡ଼: ସ୍ତ୍ରୀ ଓ ୨ ଛୁଆ ପରେ ସ୍ୱାମୀର ମୃତଦେହ ଉଦ୍ଧାର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଗଙ୍ଗାନଗର ଫାଟକପଡ଼ାରେ ବୁଧବାର ହୋଇଥିବା ଟ୍ରିପଲ ମର୍ଡର ଘଟଣା ନୂଆଁ ମୋଡ଼ ନେଇଛି। ଗତକାଲି ଏଠାରେ ମା’ ସୋନି ପୋଦାର(୩୦) ଏବଂ ବଡ଼ ଝିଅ ରାଧିକା(୫) ଓ ସାନ ଝିଅ ମୁସ୍କାନ(୩)ର ମୃତଦେହ ପୁଲିସ ଉଦ୍ଧାର କରିବା ପରେ ନିଖୋଜ ଥିବା ସୋନିର ସ୍ୱାମୀ ନାରାୟଣ ପୋଦାର ହତ୍ୟାକାଣ୍ଡ ଭିଆଇଥିବା ନେଇ ପୁଲିସ ସନ୍ଦେହ କରିଥିଲା। ଏହାସହ ନାରାୟଣର ତଲାସି ଆରମ୍ଭ କରିଥିବାବେଳେ ତାଙ୍କ ଭାଇ କଳାକାହ୍ନୁକୁ ଅଟକ ରଖି ପଚରାଉଚୁରା କରୁଥିଲା। ତେବେ ଆଜି ସକାଳୁ ସୋନିଙ୍କ ସ୍ୱାମୀ ନାରାୟଣଙ୍କ ମୃତଦେହ ଘର ନିକଟସ୍ଥ କୂଅ ଭିତରେ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ବ୍ରଜରାଜନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ନାରାୟଣ କୂଅକୁ ଡେଇଁ ନିଜେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି କୂଅ ଭିତରକୁ ଫିଙ୍ଗି ଦେଇଛି ଏନେଇ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଛି। ଏହାସହ ନାରାୟଣଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।