ବାଲିଗୁଡ଼ାରେ ଗଣେଶ ପୂଜା ପାଳିତ

ବାଲିଗୁଡା,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ ସିଦ୍ଧି ପ୍ରଦାୟକ ଗଜାନନଙ୍କ ପୂଜା ରୀତିନୀତି ଅନୁସାରେ ପାଳିତ ହୋଇଯାଇଛି । ଏହି ଅବସରରେ ଟାଉନର ସମସ୍ତ ଶିକ୍ଷାନୁଷ୍ଠାନ, ସ୍ୱେଛାସେବୀ ଅନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନ ଗୁଡ଼ିକରେ ପୂଜାର୍ଚ୍ଚନା, ପୁଷ୍ପାଞ୍ଜଳି ଓ ପ୍ରସାଦ ସେବନ ସହ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଟାଉନର ଫ୍ରେଣ୍ଡସ ଗ୍ରୁପ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଶିକ୍ଷା ନିକେତନ ଓ ବଡ଼ଗାଁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପୂଜା ଓ ସାଜସଜ୍ଜା ତଥା ଆଲୋକ ତୋରଣ ମନଲୋଭା ସହ ଆକର୍ଷଣୀୟ ହୋଇପାରିଥିଲା । ଏଥିରେ ଭକ୍ତ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ଦେଖା ଦେଇଥିଲା । ଟାଉନର ସବୁଠୁ ନିଆରା ଗ୍ରୁପ ଭାବେ ପରିଚିତ ପାଟଖଣ୍ଡା ମନ୍ଦିର ନିକଟରେ ହେଉଥିବା ଫ୍ରେଣ୍ଡସ ଗ୍ରୁପର ସପ୍ତମ ବାର୍ଷିକ ଗଣେଷ ପୂଜା ରୀତିନୀତି ସହ ହୋଇଥିବାବେଳେ ୧୦୮ ଆଳତୀ କାର୍ଯ୍ୟକ୍ରମ ଭକ୍ତଙ୍କୁ ପ୍ରସାଦ ସେବନର ବ୍ୟବସ୍ଥା ସବୁଠାରୁ ଆକର୍ଷଣୀୟ ହୋଇପାରିଥିଲା । ଏଥିରେ ସହସ୍ରାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ଏହି କାର୍ଯ୍ୟକ୍ରମ ସପ୍ତାହକ ଧରି ଚାଲିବ ବୋଲି ଗ୍ରୁପର ସଦସ୍ୟ ରାକେଶ ପାତ୍ର, ପ୍ରଭାକର ପାତ୍ର, ମନୋଜ ପ୍ରଧାନ, ସିଏଚ ଆଶିଷ ପାତ୍ର, ଶିବା ପାତ୍ର, ସନ୍ୟାସୀ ସିଅ, ପ୍ରେମାନନ୍ଦ ପାତ୍ର, ସତ୍ୟ ନାରାୟଣ ଆଚାରୀ, ନାରାୟଣ ପାତ୍ର, ବାଲ କିଶୋର ପାତ୍ର, ନାରାୟଣ ନାୟକ, କାହ୍ନା ପାତ୍ର, ମନୋଜ ପଣ୍ଡା, ଅନିଲ ପାଣିଗ୍ରାହୀ, ଭିକି ଦାସ, ଚନ୍ଦନ ମହାପାତ୍ର, ଲିକୁ ପଣ୍ଡା, ପ୍ରତାପ ପାତ୍ର ଓ ମିଟୁ ଦୋରା ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।