ମହିଳା ଆରକ୍ଷଣ ବିଲ ପାରିତ ହେବା ପରେ ଖୁସି ଜାହିର କଲେ କଙ୍ଗନା

ନୂଆଦିଲ୍ଲୀ: ଲୋକସଭାରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଲ ପାରିତ ହୋଇଯାଇଛି । ଫଳରେ ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ୩୩ ପ୍ରତିଶତ ଆରକ୍ଷଣ ବ୍ୟବସ୍ଥା ହୋଇପାରିବ । ବିଲକୁ ମଞ୍ଜୁରୀ ମିଳିବା ପରେ ବଲିଉଡ ଅଭିନେତ୍ରୀ କଙ୍ଗନା ରନାୱତଙ୍କ ସମେତ ଅନେକ ବଲିଉଡ ଅଭିନେତ୍ରୀ ନୂଆ ସଂସଦ ଭବନ ପହଞ୍ଚି ଏହି ଫଇସଲା ଉପରେ ଖୁସି ଜାହିର କରିଛନ୍ତି ।

ନୂଆ ସଂସଦ ଭବନ ପହଞ୍ଚିଥିବା କଙ୍ଗନା କହିଛନ୍ତି ଯେ, ଏହା ଏକ ଅଦ୍ଭୁତ ବିଚାର । ଏହା ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଏହି ସରକାର ଓ ମହିଳାଙ୍କ ଉତଥାନ ପ୍ରତି ତାଙ୍କ ବିଚାରଶୀଳତା କାରଣରୁ ହୋଇଛି ।

ଏହାପୂର୍ବରୁ କଙ୍ଗନା ସୋସିଆଲ ମିଡିଆ ସାଇଏକ୍ସରେ ଲେଖିଥିଲେ ଯେ, ଆମେ ଏକ ନୂଆ ଯୁଗର ସାକ୍ଷୀ ହେଉଛୁ । ଆମ ସମୟ ଆସିଯାଇଛି, ଏହା ଝିଅଙ୍କ ସମୟ । ଯୁବ ମହିଳାଙ୍କ ସମୟ ।

ସେହିପରି କଙ୍ଗନା ରନାୱତଙ୍କ ବ୍ୟତୀତ ଈଶା ଗୁପ୍ତା ବି ସଂସଦ ଭବନ ପହଞ୍ଚିଥିଲେ । ଏନେଇ ଇଶା କହିଥିଲେ ଯେ, ଏହା ଏକ ସୁନ୍ଦର କାମ ଯାହା ମୋଦୀ କରିଛନ୍ତି । ଏହା ଏକ ପ୍ରଗତିଶୀଳ ବିଚାର । ଏହି ଆରକ୍ଷଣ ବିଲ ମହିଳାଙ୍କୁ ସମାନ ଅଧିକାର ଦେବ । ଏହା ଆମ ଦେଶ ପାଇଁ ଏକ ବଡ଼ ପଦକ୍ଷେପ ।