ମହିଳା ଆରକ୍ଷଣ ବିଲକୁ ନେଇ ଖଡ଼ଗେ-ସୀତାରମଣ ମୁହାଁମୁହିଁ

ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେସନର ଦ୍ୱିତୀୟ ଦିନରେ ଲୋକସଭାରେ ମହିଳା ଆରକ୍ଷଣ ବିଲ୍ ପାରିତ ହୋଇଯାଇଛି । ଏହିକ୍ରମେ ରାଜ୍ୟସଭାରେ ବିଲ ପାରିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ଦଳକୁ ଏକତ୍ରିତ ହେବା ଲାଗି ଆହ୍ୱାନ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ରାଜ୍ୟସଭାରେ କହିବାରେ ସୁଯୋଗ ଦିଆଯାଇଥିଲା । ଖଡ଼ଗେ କହିଥିଲେ ଯେ, ନାରୀ ଶକ୍ତି ବନ୍ଦନ ଅଧିନିୟମରେ ଓବିସି ମହିଳାଙ୍କୁ ଆରକ୍ଷଣ ମିଳିବା ଉଚିତ । ସାଂସଦ ନିର୍ବାଚିତ ହୋଇ ଆସିଥାନ୍ତି । ଅନୁସୂଚିତ ଜାତିର ମହିଳା ସେତେ ପାଠ ପଢ଼ୁଆ ହୋଇନଥାନ୍ତି । ସେମାନଙ୍କ ସ୍ୱାକ୍ଷରତା ମଧ୍ୟ ଖୁବ୍ କମ୍ । ଦୁର୍ବଳ ମହିଳାଙ୍କୁ ଟିକେଟ ଦେବା ସବୁ ପାର୍ଟିର ଅଭ୍ୟାସ । ମୁଁ ଜାଣିଛି ଯେଉଁମାନେ ଲଢ଼ିପାରିବେ ସେମାନଙ୍କୁ ସୁଯୋଗ ଦିଆଯାଇ ନଥାଏ ।

ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଏହି ବୟାନ ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ବିଜେପି ଆପତ୍ତି ଜାହିର କରିଥିଲା । ସୀତାରମଣ କହିଥିଲେ ଯେ, ପାର୍ଟି ମହିଳାଙ୍କୁ ଗୁରୁତ୍ୱ ଦେଉନାହିଁ କହିବା ଗ୍ରହଣୀୟ ନୁହେଁ । ପାର୍ଟି ଆମ ସମସ୍ତଙ୍କୁ ସୁଯୋଗ ଦେଇଛି । ମୁଁ ଆପତ୍ତି ଦାୟର କରୁଛି । ତେବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ କିଏ ? ଆପଣ କିପରି ମହିଳାଙ୍କ ମଧ୍ୟରେ ତାରତମ୍ୟ ପରିପାରୁଛନ୍ତି? ଆମେ ସବୁ ମହିଳାଙ୍କ ଆରକ୍ଷଣ କଥା କହୁଛୁ ।