ଫ୍ରେଞ୍ଚ୍ ଓପନ୍ ପୁରସ୍କାର ରାଶି ବୃଦ୍ଧି

ପ୍ୟାରିସ୍‌,ଏଜେନ୍ସି: କ୍ଲେକୋର୍ଟ ଗ୍ରାଣ୍ଡ୍‌ସ୍ଲାମ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ୍ ଫ୍ରେଞ୍ଚ୍ ଓପନ୍‌ର ପୁରସ୍କାର ରାଶିରେ ବୃଦ୍ଧି କରାଯାଇଛି । ବୁଧବାର ଆୟୋଜକଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । ଫଳରେ ଚଳିତ ବର୍ଷର ସିଙ୍ଗଲ୍ସ ଇଭେଣ୍ଟ୍ ବିଜେତା ପ୍ରତ୍ୟେକ ୨.୨ ମିଲିୟନ୍ ୟୁରୋ ପାଇବେ । ଦୁଇବର୍ଷ ଧରି କୋଭିଡ୍‌-୧୯ ଦ୍ୱାରା ପ୍ରଭାବିତ ହେବାପରେ ପୁରସ୍କାର ରାଶିରେ ହ୍ରାସ ଘଟିଥିଲା । ବର୍ତ୍ତମାନ ଏହା ୨୦୧୯ର ପୁରସ୍କାର ରାଶି ସହ ପ୍ରାୟ ସମାନ ହୋଇଛି । ୨୦୧୯ର ବିଜେତା ରାଫେଲ୍ ନାଡାଲ୍ ଓ ଆଶ୍‌ଲେ ବାର୍ଟି ୨.୩ ମିଲିୟନ୍ ୟୁରୋ ପୁରସ୍କାର ରାଶି ପାଇଥିଲେ ।

ମେ ୨୨ରୁ ଜୁନ୍ ୫ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଚଳିତ ବର୍ଷର ରୋଲାଣ୍ଡ୍ ଗାରୋସ୍‌ର ମୋଟ ପୁରସ୍କାର ରାଶି ୨୦୧୯ ତୁଳନାରେ ୬.୮%ରୁ ସାମାନ୍ୟ ଅଧିକ ବୃଦ୍ଧି ପାଇ ୪୩.୬ ମିଲିୟନ୍ ୟୁରୋରେ ପହଞ୍ଚିଛି । ସେହିପରି ପୁରୁଷ ଓ ମହିଳା ସିଙ୍ଗଲ୍ସ (ମୁଖ୍ୟ ଡ୍ର)ର ଓଭର୍‌ଅଲ୍ ପୁରସ୍କାର ରାଶି ୨୦୧୯ ତୁଳନାରେ ୧.୪୩% ବୃଦ୍ଧି ପାଇଛି । ଏହା ମଧ୍ୟରୁ କ୍ୱାଲିଫାଇଙ୍ଗ୍ ଏବଂ ମୁଖ୍ୟ ଡ୍ର’ର ପ୍ରଥମ ରାଉଣ୍ଡ୍ ମ୍ୟାଚ୍ ପାଇଁ ପୁରସ୍କାର ରାଶିରେ ଅଧିକ ବୃଦ୍ଧି ଘଟିଛି । ଏହା କୋଭିଡ୍‌-୧୯ ମହାମାରୀ ଯୋଗୁଁ ଅସୁବିଧାର ସମ୍ମୁଖୀନ ହୋଇଥିବା ଖେଳାଳିଙ୍କ ସହାୟତା ନିମନ୍ତେ କରାଯାଇଛି ବୋଲି ଆୟୋଜକଙ୍କ ପକ୍ଷରୁ ଗୁହାଯାଇଛି ।

ପୁରୁଷ ଓ ମହିଳା ଡବଲ୍ସରେ ବିଜେତା ଯୋଡ଼ିଙ୍କ ପୁରସ୍କାର ରାଶିରେ ୨୦୧୯ ତୁଳନାରେ ୬.୧% ବୃଦ୍ଧି କରାଯାଇଛି । ପ୍ରତ୍ୟେକ ବିଜେତା ଯୋଡ଼ିଙ୍କ ପାଇଁ ୫.୮୦ ୟୁରୋ ଥିବାବେଳେ ମିକ୍ସଡ୍ ଡବଲ୍ସ ବିଜେତାଙ୍କ ପାଇଁ ୧.୨୨ ଲକ୍ଷ ୟୁରୋ ରଖାଯାଇଛି ।