ଫ୍ରାନ୍ସ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କଲେ ରାଷ୍ଟ୍ରପତି ଇମାନୁଏଲ୍‌, ଦ୍ୱିପାକ୍ଷୀକ ପ୍ରସଙ୍ଗରେ ହେଲା ଚର୍ଚ୍ଚା

ପ୍ୟାରିସ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ପ୍ୟାରିସରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌ଙ୍କୁ ଭେଟିଛନ୍ତି । ଏଠାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫ୍ରାନ୍ସ ରାଷ୍ଟ୍ରପତି ସ୍ୱାଗତ କରିଥିଲେ । ଉଭୟ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷୀକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଚର୍ଚ୍ଚା ହୋଇଥିଲା । ଭାରତ-ଫ୍ରାନ୍ସ ଭାଗିଦାରୀ ଆଗାମୀ ପର୍ଯ୍ୟାୟ ପାଇଁ ସହମତି ହୋଇଥିଲା । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ବୈଠକ ସଂପର୍କରେ ସୂଚନା ଦେଇଛନ୍ତି । ଏହା ବ୍ୟତୀତ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ ମଧ୍ୟ ବୈଠକରେ ଟୁଇଟ୍ କରି କହିଛନ୍ତି ଯେ, ଭାରତ-ଫ୍ରାନ୍ସ ଭାଗିଦାରୀ ଶାନ୍ତି, ପ୍ରଗତି ଓ ସମୃଦ୍ଧି ପାଇଁ ବଳ ମିଳିଛି ।

ପ୍ରଧାନମନ୍ତ୍ରୀ ମୋଦୀ ସାକ୍ଷାତ ପରେ ଇଂରାଜୀ ଓ ଫ୍ରାଞ୍ଚ ଭାଷାରେ ଟୁଇଟ୍ କରିଛନ୍ତି । ସେ କହିଛନ୍ତି, ସବୁ ସମୟରେ ନିଜର ବନ୍ଧୁ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌ଙ୍କୁ ଭେଟି ଖୁସି ଅନୁଭବ କରୁଛି । ଆମେ ଦ୍ୱିପାକ୍ଷୀକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗରେ କଥାବାର୍ତ୍ତା କରିଛୁ । ଭାରତ ଓ ଫ୍ରାନ୍ସର ବିକାଶ ପାଇଁ ଚର୍ଚ୍ଚା କରିଛୁ । ଏଥି ସହିତ ମୋଦୀ ଜଣେ ଅନ୍ୟ ସହିତ ଗଳାରେ ଲଗାଇଥିବା ଫଟୋ ମଧ୍ୟ ସେୟାର କରିଛନ୍ତି ।

ଅନ୍ୟ ଏକ ଟୁଇଟ୍‌ରେ ମୋଦୀ ଲେଖିଛନ୍ତି ଯେ, ଫ୍ରାନ୍ସ ପାଇଁ ମୋର ଯାତ୍ରା ଅବଧି କମ୍ ଥିଲା । କିନ୍ତୁ ବହୁତ ମୂଲ୍ୟବାନ ଥିଲା । ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌ ଓ ମୋର ମଧ୍ୟରେ ଅନେକ ପ୍ରସଙ୍ଗରେ ଚର୍ଚ୍ଚା ହୋଇଛି । ଭବ୍ୟ ସ୍ୱାଗତ ଓ ଆତିଥ୍ୟ ପ୍ରଦାନ କରିଥିବାରୁ ଫ୍ରାନ୍ସ ସରକାରଙ୍କୁ ଧନ୍ୟବାଦ ଜଣାଉଛି । ସୂଚନାଯୋଗ୍ୟ, ମୋଦୀ ଫ୍ରାନ୍ସ ଗସ୍ତ ପୂର୍ବରୁ ଫିନଲାଣ୍ଡ ଓ ଜର୍ମାନୀ ଗସ୍ତ କରିଥିଲେ ।