ଆଇସିସି ବାର୍ଷିକ ର‌୍ୟାଙ୍କିଙ୍ଗ୍‌: ଟି-୨୦ ଶୀର୍ଷରେ ଭାରତ, ଟେଷ୍ଟ୍‌ରେ ଅଷ୍ଟ୍ରେଲିଆ, ଦିନିକିଆରେ ନ୍ୟୁଜିଲାଣ୍ଡ ନଂ୧

ଦୁବାଇ,ଏଜେନ୍ସି: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ବୁଧବାର ବାର୍ଷିକ ଟିମ୍ ର‌୍ୟାଙ୍କିଙ୍ଗ୍ ପ୍ରକାଶ କରିଛି । ଏହି ର‌୍ୟାଙ୍କିଙ୍ଗ୍ ଅନୁସାରେ ୨୦୨୧-୨୦୨୨ ସିଜନ୍‌ରେ ଭାରତୀୟ ଟିମ୍ ଟି-୨୦ ଶୀର୍ଷରେ ରହିଥିବା ବେଳେ ଟେଷ୍ଟ ର‌୍ୟାଙ୍କିଙ୍ଗ୍‌ରେ ଅଷ୍ଟ୍ରେଲିଆ ତଳକୁ ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ନ୍ୟୁଜିଲାଣ୍ଡ୍ ଦିନିକିଆ ର‌୍ୟାଙ୍କିଙ୍ଗ୍‌ର ପ୍ରଥମ ସ୍ଥାନରେ ରହିଛି । ଏହି ବାର୍ଷିକ ର‌୍ୟାଙ୍କିଙ୍ଗ୍ ପାଇଁ ୨୦୨୨ ମେ ୪କୁ କଟ୍ ଅଫ୍ ତାରିଖ ଭାବେ ଧରାଯାଇଛି ।

ରୋହିତ ଶର୍ମା କ୍ୟାପ୍‌ଟେନ୍ ନିଯୁକ୍ତ ହେବା ପରେ ଟି-୨୦ରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଆକର୍ଷଣୀୟ ଥିଲା । ଅକ୍ଟୋବର-ନଭେମ୍ବର ଅନୁଷ୍ଠିତ ଟି-୨୦ ବିଶ୍ୱକପ୍‌ରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ଟିମ୍ ପ୍ରଥମ ରାଉଣ୍ଡ୍‌ରୁ ହିଁ ଟୁର୍ଣ୍ଣାମେଣ୍ଟ୍‌ରୁ ବାଦ୍ ପଡ଼ିଥିଲା । ତେବେ ରୋହିତ ଶର୍ମା ନେତୃତ୍ୱ ନେବା ପରେ ବିଶ୍ୱକପ୍‌ର ତୁରନ୍ତ ପରେ ଭାରତ ଗସ୍ତରେ ଆସିଥିବା ନ୍ୟୁଜିଲାଣ୍ଡକୁ ଟିମ୍ ଇଣ୍ଡିଆ ୩-୦ରେ ହରାଇଥିଲା । ଏହା ପରେ ୱେଷ୍ଟ୍‌ଇଣ୍ଡିଜ୍‌କୁ ୩-୦ରେ ଏବଂ ଶ୍ରୀଲଙ୍କାକୁ ୩-୦ରେ ହରାଇ ଟି-୨୦ ସିରିଜ୍ କବ୍‌ଜା କରିଥିଲା । ଏହି ପ୍ରଦର୍ଶନ ବଳର ଟିମ୍ ଇଣ୍ଡିଆ ୨୭୦ ପଏଣ୍ଟ୍ ସହ ଦ୍ୱିତୀୟ ସ୍ଥାନରୁ ଶୀର୍ଷକୁ ଉଠିଛି । ଏହି ଫର୍ମାଟ୍‌ର ଦ୍ୱିତୀୟ ସ୍ଥାନରେ ଇଂଲଣ୍ଡ (୨୬୫ ପଏଣ୍ଟ୍‌) ରହିଛି । ପାକିସ୍ତାନ ତୃତୀୟ ଏବଂ ସାଉଥ୍ ଆଫ୍ରିକା ଚତୁର୍ଥ ସ୍ଥାନରେ ରହିଛି । ସେହିପରି ଡିଫେଣ୍ଡିଂ ବିଶ୍ୱକପ୍ ଚାମ୍ପିଅନ୍ ଅଷ୍ଟ୍ରେଲିଆ ୨୫୧ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି । ଏହାଛଡ଼ା ବିଶ୍ୱକପ୍ ଫାଇନାଲିଷ୍ଟ୍ ନ୍ୟୁଜିଲାଣ୍ଡ ୨୫୦ ପଏଣ୍ଟ୍ ସହ ସୂଚୀର ଷଷ୍ଠ ସ୍ଥାନରେ ଅଛି ।

ଟେଷ୍ଟ ର‌୍ୟାଙ୍କିଙ୍ଗ୍ ଗତ ପାଞ୍ଚବର୍ଷ ଧରି ଶୀର୍ଷ ସ୍ଥାନରେ ରହିଆସିଥିବା ଭାରତ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି । ଭାରତର ପଏଣ୍ଟ ୧୧୯ ଥିବାବେଳେ ଆଶେସ୍ ସିରିଜ୍‌ରେ ଇଂଲଣ୍ଡକୁ ୪-୦ରେ ହରାଇଥିବା ଅଷ୍ଟ୍ରେଲିଆର ପଏଣ୍ଟ ୧୨୮ ହେଇଛି । ଏହି ବୃଦ୍ଧି ୧ ପଏଣ୍ଟ୍‌ରୁ ୯ ପଏଣ୍ଟ ହୋଇଛି । ୨୦୨୧ରେ ଆରମ୍ଭ ହୋଇଥିବା ଭାରତ-ଇଂଲଣ୍ଡ ଟେଷ୍ଟ୍ ସିରିଜ୍‌ର ରଦ୍ଦ ହୋଇଥିବା ଅନ୍ତିମ ମ୍ୟାଚ୍ ଶେଷ ହେବାପରେ ଏହା ର‌୍ୟାଙ୍କିଙ୍ଗ୍‌ରେ ଅନ୍ତର୍ଭୁକ୍ତ କରାଯିବ । ଆଇସିସି ବିଜ୍ଞପ୍ତି ଅନୁସାରେ ର‌୍ୟାଙ୍କିଙ୍ଗ୍‌ରେ ଭାରତକୁ ଗୋଟିଏ ପଏଣ୍ଟ୍ ଲାଭ ହୋଇଛି । ଅନ୍ୟପକ୍ଷରେ ୨୦୧୮ରେ ଭାରତ ବିପକ୍ଷ ୪-୧ର ସିରିଜ୍ ବିଜୟକୁ ର‌୍ୟାଙ୍କିଙ୍ଗ୍‌ରୁ ହଟାଇ ଦିଆଯିବା କାରଣରୁ ଇଂଲଣ୍ଡର ସର୍ବାଧିକ ୯ ପଏଣ୍ଟ୍ କ୍ଷତି ହୋଇଛି । ଇଂଲଣ୍ଡର ବର୍ତ୍ତମାନ ରେଟିଂ ପଏଣ୍ଟ ୮୮ ରହିଛି, ଯାହା ୧୯୯୫ ପରେ ସବୁଠୁ କମ୍ । ଆଇସିସିର ବାର୍ଷିକ ଅପ୍‌ଡେଟ୍‌ରେ ୨୦୧୨ ମେ’ ପରେ ସମ୍ପୂର୍ଣ୍ଣ ସମ୍ପନ୍ନ ହୋଇଥିବା ସମସ୍ତ ସିରିଜ୍‌କୁ ସାମିଲ କରାଯାଇଛି । ୨୦୧୯ ମେ’ ପୂର୍ବରୁ ସମ୍ପନ୍ନ ସିରିଜ୍‌କୁ ବାର୍ଷିକ ର‌୍ୟାଙ୍କିଙ୍ଗ୍‌ରେ ୫୦ ପ୍ରତିଶତ ଏବଂ ଏହାର ପରବର୍ତ୍ତୀ ସିରିଜ୍‌କୁ ଶତପ୍ରତିଶତ ମହତ୍ତ୍ୱ ଦିଆଯାଇଛି ।

ଦିନିକିଆରେ ନ୍ୟୁଜିଲାଣ୍ଡ୍ ଶୀର୍ଷରେ ରହିଛି । ତେବେ ଏହାର ପଏଣ୍ଟ୍ ବ୍ୟବଧାନ ଦ୍ୱିତୀୟ ସ୍ଥାନରେ ଥିବା ଇଂଲଣ୍ଡଠାରୁ ୩ରୁ ୧ ପଏଣ୍ଟ୍‌କୁ ଖସିଆସିଛି । ସେହିପରି ଇଂଲଣ୍ଡ ଓ ତୃତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ମଧ୍ୟରେ ପଏଣ୍ଟ୍ ବ୍ୟବଧାନ ସାତରୁ ୧୭କୁ ବୃଦ୍ଧି ପାଇଛି । ଭାରତ (୧୦୫ ପଏଣ୍ଟ) ଦିନିକିଆ ର‌୍ୟାଙ୍କିଙ୍ଗ୍‌ରେ ଅଷ୍ଟ୍ରେଲିଆ (୧୦୭)ଠାରୁ ଦୁଇ ପଏଣ୍ଟ୍ ପଛରେ ଚତୁର୍ଥ ସ୍ଥାନରେ ରହିଛି ।