ମାଲକାନଗିରି,ଏନ୍ଏନ୍ଏସ୍: ବର୍ତ୍ତମାନ ଦେଶରେ ବେକାରୀଙ୍କ ସଂଖ୍ୟା ଖୁବ୍ ବଢ଼ିଯାଇଛି। ଏହି ଆଳରେ ଅନେକ ଠକ ନିରୀହ ଯୁବକଙ୍କ ଚାକିରିର ଲୋଭ ଦେଖାଇ ଟଙ୍କା ହଡ଼ପ କରୁଛନ୍ତି। ଏହିପରି ଭାବେ ଚାକିରି ଲୋଭରେ ପୁଣି ଜଣେ ଯୁବକ ଠକାମିର ଶିକାର ହୋଇଛନ୍ତି। ମାଲକାନଗିରି ଜିଲ୍ଲା ମାଥିଲି ସଦର କମାରସାହିର ଗୁପ୍ତ ବାଡତିଆ ନାମକ ଯୁବକ ଗତ ୫ ଦିନ ତଳେ ଅନଲାଇନରେ ଏକ ସାଇଟରେ ଚାକିରି ପାଇଁ ଆବେଦନ କରିଥିଲେ। ଏଥିରେ ଏଚଡିଏଫସି ନାମକ ବ୍ୟାଙ୍କରେ ଅପରେଟର ଭାବେ ନିଯୁକ୍ତି ମିଳିବ ବୋଲି ପ୍ରଲୋଭନ ଦେଖାଯାଇଥିଲା।
ଠକର କଥାରେ ପଡି ସମ୍ପୃକ୍ତ ଯୁବକ ଜଣଙ୍କ ବ୍ୟାଙ୍କ ଅପରେଟର ପାଇଁ ପ୍ରଥମେ ୧୫ ଶହ ଟଙ୍କା ଦେଇଥିଲେ। ଆଉ ପରେ ଅର୍ଥ ଦେବାକୁ ବାରମ୍ବାର ଫୋନ କରିବା ପରେ ଏଭଳି କୌଣସି ସଂସ୍ଥା ନଥିବାବେଳେ କିଏ ଓ କାହିଁକି ଚାକିରି ଲୋଭ ଦେଖାଇ ଅର୍ଥ ମାଗୁଛନ୍ତି, ତାହାକୁ ନେଇ ସନ୍ଦେହ କରିଥିଲେ। ତେବେ ଠକଙ୍କ ତଥ୍ୟ ମାଗିବାରୁ ସେ ଦିନ ଠାରୁ ସମ୍ପୃକ୍ତ ଠକ ଆଉ ଫୋନ ଉଠାଉନଥିବା ଜଣାପଡ଼ିଛି।