ଚିଟଫଣ୍ଡ ନାଁରେ ୮୨ ଲକ୍ଷ ଟଙ୍କାର ଠକେଇ, ଦମ୍ପତି ଗିରଫ

ରାୟଗଡ଼ା,ଏନ୍ଏନ୍ଏସ୍: ଚିଟଫଣ୍ଡ ସ୍କାମ କରି ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଆଜି ରାୟଗଡ଼ା ପୁଲିସ ଦମ୍ପତିଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦୁହେଁ ହେଲେ ଟି ଭେନୁଗୋପାଲ ଓ ଟି ସରସ୍ୱତୀ। ସ୍ଥାନୀୟ ରେଲୱେ ଗାର୍ଡ କଲୋନୀରେ ରହୁଥିବା ଏସ.କଲ୍ୟାଣି ଦଳପତି ନାମକ ଜଣେ ମହିଳା ଏନେଇ ଗତ ୨୨ ତାରିଖ ଦିନ ଟାଉନ ଥାନରେ ଲିଖିତ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ସ୍ୱାମୀ ଓ ସ୍ତ୍ରୀଙ୍କୁ ଗିରଫ କରିଛି। ସେମାନଙ୍କଠୁ ବ୍ୟାଙ୍କ ପାସ୍ ବୁକ୍, ଏଟିଏମ କାର୍ଡ, ଡାଏରୀ ସମେତ ଅନ୍ୟ ଜରୁରୀ ନଥିପତ୍ର ଜବତ କରିଛି।

ସୂଚନା ଯୋଗ୍ୟ ସହରସ୍ଥିତ ରେଲୱେ କଲୋନୀ ଠାରେ ବିଗତ କିଛି ବର୍ଷଧରି ଏକ ଦମ୍ପତିି ବିଭିନ୍ନ ଚିଟଫଣ୍ଡ ଗ୍ରୁପ୍ ଗଢି ସେହି ଅଞ୍ଚଳର ମହିଳାଙ୍କୁ ଟଙ୍କା ଲଗାଣ ସକାଶେ ଆକୃଷ୍ଟ କରୁଥିଲେ। ଦୀର୍ଘ ଦିନରୁ ୩୦ରୁ ଊଦ୍ଧ୍ୱର୍ ମହିଳାମାନେ ଉକ୍ତ ଚିଟଫଣ୍ଡରେ ନିଜ ଟଙ୍କା ବିନିଯୋଗ କରିବାପରେ ମଧ୍ୟ ଅଭିଯୁକ୍ତ ସେମାନଙ୍କ ଟଙ୍କା ଫେରସ୍ତ କରିନଥିଲେ। ଫଳରେ ଏ ନେଇ ଟଙ୍କା ବିନିଯୋଗ କରିଥିବା ମହିଳା ପୁଲିସର ଦ୍ୱାରସ୍ତ ହୋଇଥିଲେ। ପୁଲିସ ତଦନ୍ତ ସମୟରେ ୮୨ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ଚିଟ ଫଣ୍ଡ ଯୋଗେ ଉଭୟ ସ୍ୱାମୀ-ସ୍ତ୍ରୀ ଠକେଇ କରିଥିବା ଜଣାପଡ଼ିଥିଲା। ତେବେ ଏହି ମାମଲାରେ ସମ୍ପୃକ୍ତ ଦମ୍ପତିଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।