ଦେବଗଡ,ଏନ୍ଏନ୍ଏସ୍: ହୀରାଖଣ୍ଡ ବିଦ୍ୟୁତ୍ କର୍ମଚାରୀ ସଂଘ ଦେବଗଡ଼ ଶାଖା ଓ ହୀରା ଜିଟିଡି ୱାର୍କର ସଂଘ ପକ୍ଷରୁ ୩ ଦଫା ଦାବିରେ ଆଜି ସ୍ଥାନୀୟ ୱେସ୍କୋ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ କଳାଦିବସ ପାଳନ କରାଯାଇଛି। ହୀରାଖଣ୍ଡ ବିଦ୍ୟୁତ୍ କର୍ମଚାରୀ ସଂଘ ଆଞ୍ଚଳିକ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ସାମଲଙ୍କ ନେତୃତ୍ୱରେ ସବଡିଭିଜିନାଲ ସମ୍ପାଦକ ସୁରେଶ ଦେହୁରୀ ହୀରା ଜିଟିଡି ୱାର୍କର ସଂଘର ଡିଭିଜିନାଲ ସମ୍ପାଦକ ଅମୀୟ ସାହୁ ଏବଂ ଆଉଟ ସୋର୍ସ କର୍ମଚାରୀ ସଭାପତି ଶିଶିର ରଣାଙ୍କ ସମେତ ଉଭୟ ସଂଘର ବହୁ ସଦସ୍ୟ ଉପସ୍ଥିତ ରହି ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ସ୍ଲୋଗାନ ସହ ନାରାବାଜି କରିଥିଲେ।
ଏହି ଅବସରରେ ଉଭୟ ସଂଘ ପକ୍ଷରୁ ବିଦ୍ୟୁତ୍ କ୍ଷେତ୍ର ଘରୋଇ କରଣକୁ ବିରୋଧ କରିବା ସହ ଇଲେକ୍ଟ୍ରିସିଟି ବିଧେୟକ ସଂଶୋଧନ ବାତିଲ କରିବାକୁ ଦାବି କରିଛନ୍ତି। ସେହିପରି ଦୀର୍ଘ ଦିନରୁ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବା ପାଇଁ ଦାବି କରିବା ସହ କଳା ବ୍ୟାଚ ପରିଧାନ କରି କାର୍ଯ୍ୟରେ ଯୋଗ ଦେଇଥିବା ଜଣାପଡିଛି।