ଲେ ଲେ ବଉଲ ଗୀତରେ ନାଚିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର

ସଇଁନ୍ତଲା,ଏନ୍ଏନ୍ଏସ୍: ସମଗ୍ର ଦେଶରେ ଆରମ୍ଭ ହୋଇଯାଇଛି ମା’ ଦୁର୍ଗାଙ୍କ ପୂଜା। ଆଜି ଠାରୁ ମା’ ଜଗତ ଜନନୀ ଦୁର୍ଗା ଙ୍କ ପୂଜା ଚଳିତ ବର୍ଷ ମହା ଆଡମ୍ବର ରେ ପାଳିତ ହୋଇଯାଇଛି। ବିଭିନ୍ନ ପୂଜା କମିଟି ପକ୍ଷରୁ ମା’ଙ୍କ ନବରାତ୍ର ପୂଜା ଆରମ୍ଭ ହେଉଥିବା ବେଳେ ବିଭିନ୍ନ ପୀଠ ଓ ମନ୍ଦିରରେ ମଧ୍ୟ ପୂଜା ଆରମ୍ଭ ହୋଇଛି। ଚଳିତ ବର୍ଷ କୋଭିଡ କଟକଣା ନଥିବାରୁ ବେଶ୍‌ ଧୁମଧାମରେ ପୂଜା କରିବା ପାଇଁ ଆୟୋଜନ କମିଟି ଲାଗି ପଡିଛି। ତେବେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନରେ ମହା ଆଡମ୍ବରରେ ପୂଜା ଆରମ୍ଭ ହୋଇଥିବା ବେଳେ ସଇଁନ୍ତଲା ବ୍ଲକ୍‌ ସ୍ଥାନୀୟ ହାଟପଦା ଠାରେ ୨୪ ବର୍ଷକୁ ନବରାତ୍ର ଦୁର୍ଗା ପୂଜା ପଦାରପଣ କରିଛି। ଗାଁ’ଠୁ ସହର ବିଭିନ୍ନ ସ୍ଥାନରେ ଉତ୍ସବ ମୁଖର ହୋଇ ଉଠିଛି। ତେବେ ଏହି ଅବସରରେ ସମ୍ବଲପୁରର ମା’ ଇଷ୍ଟ ଦେବୀ ମେଲୋଡିରେ ପଶ୍ଚିମ ଓଡ଼ିଶାର ସୁନାମ ଅର୍ଜନ କରିଥିବା କଣ୍ଠଶିଳ୍ପୀ ଉମାକାନ୍ତ ବାରିକ ଓ ମୁକ୍ତାଙ୍କ ଲେ ଲେ ବଉଲ ଗୀତରେ ହଜାର ହଜାର ଦର୍ଶକ ଝୁମିଥିବା ବେଳେ ପୂର୍ବତନ ମନ୍ତ୍ରୀ ତଥା ପୂଜା କମିଟିର ସଭାପତି ସୁରେନ୍ଦ୍ର ସିଂ ଭୋଇ ଗୀତର ତାଳେ ତାଳେ ନାଚି ଥିଲେ।

କଲ୍ୟାଣ, ରୂପାଲି ଓ ସାଥି ମାନେ ନୃତ୍ୟ ପରିବେଷଣ କରିଥିଲେ। ସୂଚନା ମତେ ବିଭିନ୍ନ ଦେବୀ ମନ୍ଦିର ଗୁଡିକରେ ରିତିନିତି ଅନୁସାରେ ମା’ଙ୍କ ପୂଜା କରାଯାଉଥିବା ବେଳେ ବିଭିନ୍ନ ପୂଜା କମିଟି ପକ୍ଷରୁ ସୁନ୍ଦର ତୋରଣ, ଘଣ୍ଟ ବାଦ୍ୟ, ସହ ସାସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଥିବା ବେଳେ ଏବେଠୁ ପୂଜା ମଣ୍ଡପ ଗୁଡିକ ଝଲସି ଉଠୁଛି। ମା’ ଦୁର୍ଗାଙ୍କ ନଅ ଅବତାର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ସଇଁନ୍ତଲାରେ।ଚଳିତ ବର୍ଷ କର୍ତ୍ତା ଭାବରେ ଗଜାନନ ଅଗ୍ରୱାଲ ଓ ତାଙ୍କ ଧର୍ମପତ୍ନୀ ମିନା ଦେବୀ ଅଗ୍ରୱାଲ ପୂଜା କାର୍ଯ୍ୟ ତୁଲାଉ ଥିବାବେଳେ ପୂଜା କମିଟିର ସମ୍ପାଦକ ସୁବୋଧ ମିଶ୍ର ସମେତ କମିଟିର ସଦସ୍ୟ ମାନେ ସହଯୋଗ କରୁଛନ୍ତି। ସନ୍ଧ୍ୟାରେ ଘଣ୍ଟା ଶଙ୍ଖ ହୁଳହୁଳିରେ ଆଳତୀ କରାଯାଉଥିବା ବେଳେ ହଜାର ହଜାର ଭକ୍ତଙ୍କ ଭିଡ଼ ମଧ୍ୟ ପରିଲକ୍ଷିତ ହେଉଛି। ପ୍ରତ୍ୟେକ ଦିନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଉଛି।