ନବରଙ୍ଗପୁର ଜିଲ୍ଲା ସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ

ନବରଙ୍ଗପୁର,ଏନ୍ଏନ୍ଏସ୍‌: ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିର କପୋତ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ନବରଙ୍ଗପୁର ସଦର ମହକୁମାରେ ପାଳିତ ହୋଇଯାଇଛି। ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାତଃ ସହରରେ ପ୍ରଭାତ ଫେରୀ, ରାମ ଧୁନ୍ ପରିବେଷଣ କରାଯାଇ ସହର ସ୍ଥିତ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏଥିରେ ମାନ୍ୟବର ବିଧାୟକ ନବରଙ୍ଗପୁର ସଦାଶିବ ପ୍ରଧାନୀ, ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ରତ୍ନାକର ସାହୁ, ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ, ଅଧ୍ୟକ୍ଷ ପୌରପାଳିକା ନବରଙ୍ଗପୁର କୁନୁ ନାୟକ, ତହସିଲଦାର ରବୀନ୍ଦ୍ର କୁମାର ରାଉତ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ବରିଷ୍ଠ ନାଗରିକ ସଂଘର ସଭାପତି ଡକ୍ଟର ରାଧାନାଥ ବେହେରା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ହଳଧର ନିଆଲ୍, ଡକ୍ଟର ବିଜୟ କୁମାର ମିଶ୍ର, ବହୁ ବରିଷ୍ଠ ନାଗରିକ ପ୍ରମୁଖ ଯୋଗଦେଇ ଗାନ୍ଧିଜୀ ଏବଂ ଶାସ୍ତ୍ରୀଜୀଙ୍କ ପ୍ରତିମୂର୍ତ୍ତିରେ ପୂଜ୍ୟପୂଜା ପୂର୍ବକ ମାଲ୍ୟାର୍ପଣ କରିଥିଲେ।

ଏହି ଅବସରରେ ରାଜା ଚୈତନ୍ୟ ଦେବ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୀବନୀ ଉପରେ ଏକ ଆଲୋଚନା ଚକ୍ର, ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ ଏବଂ ଗାନ୍ଧିଜୀଙ୍କ ପ୍ରିୟ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର, ମୁଖ୍ୟ ବକ୍ତା ଭାବେ ଡକ୍ଟର ବିଜୟ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ଡକ୍ଟର ରାଧାନାଥ ବେହେରା, ବ୍ୟଙ୍ଗ କବି ବିଜୟ କୁମାର ଚୌଧୁରୀ, ଜେମାମଣି ବିଶୋଇ, ତହସିଲଦାର ରବୀନ୍ଦ୍ର କୁମାର ରାଉତ ଯୋଗଦେଇ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଆଦର୍ଶ ଜୀବନୀ ଉପରେ ଆଲୋକପାତ କରିଥିଲେ।

ମୁଖ୍ୟ ଅତିଥି ଜିଲ୍ଲାପାଳ ଡକ୍ଟର ମିଶ୍ର ତାଙ୍କ ଅଭିଭାଷଣରେ ଗାନ୍ଧିଜୀ ଏବଂ ଶାସ୍ତ୍ରୀଜୀଙ୍କ ଆଦର୍ଶ ଜୀବନୀ ଓ ଦେଶ ପାଇଁ କରିଯାଇଥିବା ତାଙ୍କର କର୍ତ୍ତବ୍ୟ ନିଷ୍ଠା, ତ୍ୟାଗ ସମ୍ପର୍କରେ ଉଲ୍ଲେଖ କରି ଆଜିର ଛାତ୍ର ଛାତ୍ରୀ, ଯୁବପିଢ଼ି ମହାପୁରୁଷଙ୍କ ଜୀବନୀ ପିଢି ବା ସହିତ ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ବାନ ଦେଇଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଜିଲ୍ଲାପାଳ ଡକ୍ଟର ମିଶ୍ରଙ୍କ ଦ୍ଵାରା ପୁରସ୍କାର ଓ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା।

ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ଭଜନ, କୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏସବୁ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଳ ପରିଚାଳନା କରୁଥିଲେ। ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଘାଷିଆ ହରିଜନ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏଥିରେ ଦିଲ୍ଲୀପ କୁମାର ମଲ୍ଲିକ, ରାଜେନ୍ଦ୍ର କୁମାର ମାଝୀ, ଶ୍ୟାମ ସୁନ୍ଦର ପୁଝାରୀ ଏ ସନ୍ତୋଷ କୁମାର ସହଯୋଗ କରିଥିଲେ।