ହୃଦଘାତରେ ଜୀବନ ହାରିଲେ ପୂର୍ବତନ କ୍ରିକେଟର ଯଶପାଲ ଶର୍ମା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ରିକେଟର ଯଶପାଲ ଶର୍ମାଙ୍କ ପରଲୋକ ଘଟିଛି। ହୃଦଘାତ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ମୃତ୍ୟୁବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା। ଯଶପାଲ ଆଜି ସକାଳୁ ମର୍ଣ୍ଣିଂ ୱାକରେ ଯାଇଥିଲେ। ମର୍ଣ୍ଣିଂ ୱାକରୁ ଫେରିବା ପରେ ଅସହଜ ଅନୁଭବ କରିଥିଲେ। ପରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ ନିଆଯାଉଥିଲା। ହେଲେ ହସ୍ପିଟାଲ ପହଂଚିବା ପୂର୍ବରୁ ସକାଳ ୭ଟା ୪୦ ମିନିଟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ସୂଚନାନୁଯାୟୀ, ଯଶପାଲ ଭାରତୀୟ କ୍ରିକେଟ ଟିମର ଜଣେ ଉଚ୍ଚକୋଟୀର ଖେଳାଳି ଥିଲେ। ୧୯୮୩ରେ ବିଶ୍ୱବିଜେତା ଭାରତୀୟ କ୍ରିକେଟ ଟିମର ସଦସ୍ୟ ଥିଲେ। ବିଶ୍ୱକପର ସେମିଫାଇନାଲ ମ୍ୟାଚରେ ତାଙ୍କ ଅର୍ଦ୍ଧଶତକୀୟ ପାଳି ସର୍ବଦା ସ୍ମରଣୀୟ ରହିବ। ସେ ଭାରତୀୟ ଟିମ୍ ପାଇଁ ଉଭୟ ଟେଷ୍ଟ ଓ ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ଏଥିସହିତ ଯଶପାଲ ଟିମ୍ ଇଣ୍ଡିଆର ଚୟନକର୍ତ୍ତା ମଧ୍ୟ ଥିଲେ।