ବ୍ୟାଙ୍କ୍ ଅଫ୍ ବରୋଦାର ପୂର୍ବତନ ଶାଖା ପରିଚାଳକ ଗିରଫ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ବ୍ୟାଙ୍କ ଅଫ୍ ବରୋଦାର ପୂର୍ବତନ ଶାଖା ପରିଚାଳକଙ୍କୁ ଅର୍ଥ ହେରଫେର୍ ମାମଲାରେ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ପୂର୍ବରୁ ଏହି ବ୍ୟାଙ୍କରେ କାର୍ଯ୍ୟକରୁଥିବା ସମୟରେ ଶାଖା ପରିଚାଳକ ଦେବାଶିଷ କୁମାର ସାହୁ ଋଣ ମଞ୍ଜୁର କରି ଋଣ ଗ୍ରହିତାଙ୍କୁ ସମ୍ପୂର୍ଣ୍ଣ ଅର୍ଥ ନଦେଇ ଅର୍ଥ ଆତ୍ମସାତ୍ କରିଥିବା ଏମ୍ଭି -୧୨ ଗ୍ରାମର ଅଭିଜିତ୍ ସରକାର ଆଇନଜୀବୀ ଗିରିଜାନନ୍ଦନ ପାଣିଗ୍ରାହୀଙ୍କ ମାଧ୍ୟମରେ କୋର୍ଟରେ ମାମଲା ରୁଜୁ କରିଥିଲେ। ପରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଥାନା ରେ ଏକ ମାମଲା ରୁଜ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ପରେ ମାଲକାନଗିରି ଥାନାର ଏକ ପୁଲିସ ଦଳ ସମ୍ବଲପୁର ଯାଇ ସଂପୃକ୍ତ ବ୍ୟାଙ୍କ ପରିଚାଳକ ଶ୍ରୀ ସାହୁଙ୍କୁ ସମ୍ବଲପୁରସ୍ଥିତ ବ୍ୟାଙ୍କ ଅଫ୍ ବରୋଦାରୁ ଗିରଫ କରି ଆଜି ମାଲକାନଗିରି ଥାନାକୁ ଆଣି କୋର୍ଟ ଚାଲାଣ କରିଛନ୍ତି।