ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ, ବନପାଳ ଗିରଫ

  • ମାଲକାନାଗିରି, ଏନଏନଏସ: ଜନୈକା ଯୁବତୀଙ୍କୁ ବିବାହ ପ୍ର୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ପୁଲିସ ରବିବାର ମାଲକାନାଗିରି ଜିଲ୍ଲା ସଦର ମହକୁମାର ଜଣେ ବନପାଳଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ବନପାଳ ହେଲେ ଓରକେଲ ଥାନା ଅଞ୍ଚଳର ମୁରଲିଧର ଅନୁଗୁଳିଆ। ପ୍ରକାଶ ଯେ, ଏପ୍ରିଲ ୫ ତାରିଖରେ ସମ୍ପୃକ୍ତା ଯୁବତୀ ବନପାଳଙ୍କ ବାସଭବନକୁ ବୁଲିବାକୁ ଯାଇଥିଲେ। ସେହି ରାତିରେ ଯୁବତୀଙ୍କ ଅନିଚ୍ଛା ସତ୍ତେ୍ୱ ତାଙ୍କୁ ବିବାହ କରିବେ କହି ଅଭିଯୁକ୍ତ ବନପାଳ ଦୁଷ୍କର୍ମ କରିଥିଲେ। ଏବିଷୟରେ କାହାକୁ ନଜଣାଇବାକୁ ମଧ୍ୟ କହିଥିଲେ। ଏହି ଘଟଣା ଉଭୟ ପୀଡ଼ିତା ଓ ଅଭିଯୁକ୍ତଙ୍କ ପରିବାରର ଦୃଷ୍ଟିଗୋଚର ହେବା ପରେ ସେମାନଙ୍କ ବିବାହ କରାଇଦେବାକୁ ସହମତି ପ୍ରକାଶ କରିଥିଲେ। ଇତିମଧ୍ୟରେ ଏପ୍ରିଲ ୬ରୁ ୧୨ ତାରିଖ ପର୍ଯ୍ୟନ୍ତ ପୀଡ଼ିତାଙ୍କ ସହ ବନପାଳ ଶାରୀରିକ ସମ୍ପର୍କ ରଖିଥିଲେ। ଏହାପରେ ବୁଝାସୁଝା କରି ପୀଡ଼ିତାଙ୍କୁ ତାଙ୍କ ଘରକୁ ପଠାଇ ଦେଇଥିଲେ। ପରେ ବିବାହ କରିବାକୁ କହି ବନପାଳ ଦିନ ଗଡ଼ାଇ ଚାଲିଲେ। କିଛିଦିନ ପରେ ଅଭିଯୁକ୍ତ ବନପାଳ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ଏସମ୍ପର୍କରେ ଜାଣି ତାଙ୍କୁ ପଚାରିବାରୁ, ସେ ଧମକ ଦେବା ସହ ଗାଳିଗୁଲଜ କରିଥିଲେ। ତେଣୁ ବାଧ୍ୟ ହୋଇ ପୀଡ଼ିତା ମାଲକାନାଗିରି ଏସଡିଜେଏମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏସଡିଜେଏମଙ୍କ ନିର୍ଦ୍ଦେଶକ୍ରମେ ରବିବାର ପୁଲିସ କେସ୍ ନଂ. ୨୪୪/୨୧ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବନପାଳଙ୍କୁ କୋର୍ଟଚାଲାଣ କରିଛି।