ବଜ୍ରପାତରେ ୭୦ ଗୋରୁ ଓ ମେଣ୍ଢା ମୃତ

  • କେଉଁଝର, ଏନଏନଏସ: କେଉଁଝର ଜିଲ୍ଲା ଝୁମ୍ପୁରା ଥାନା ଅଞ୍ଚଳରେ ରବିବାର ବଜ୍ରପାତ ଘଟି ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ପୁଅ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଅନ୍ୟପକ୍ଷରେ ବଂଶପାଳ ବ୍ଲକ ଅଞ୍ଚଳରେ ବଜ୍ରପାତ ଯୋଗୁଁ ୭୦ ଗୋରୁ ଓ ମେଣ୍ଢାଙ୍କ ମୃତ୍ୟୁ ହୋଇଛି। ପ୍ରକାଶ ଯେ, ଝୁମ୍ପୁରା ଥାନା ଅଧୀନ ନହବଡ଼ା ପଞ୍ଚାୟତ କାଞ୍ଜିପାଣି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ପିତାମ୍ବର ମହାନ୍ତ (୬୪) ଚାଷଜମିରେ ପାଣି ମଡ଼ାଇ ଘରକୁ ବାହାରିଥିଲେ। ଏହି ସମୟରେ ଘଡ଼ଘଡ଼ି ମାରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସାମାନ୍ୟ ଦୂରରେ ଛିଡ଼ା ହୋଇଥିବା ତାଙ୍କ ପୁଅ ଗୁରୁତର ହୋଇଥିଲେ। ଖବରପାଇ ଝୁମ୍ପୁରା ପୁଲିସ ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ସେହିପରି ଉକ୍ତ ପଞ୍ଚାୟତର କେଶରପୁରଠାରେ ବଜ୍ରପାତରେ ୨ ଗୋରୁଙ୍କ ମୃତ୍ୟୁ ହୋଇଛି। ବାଂଶପାଳର କାଦକଳାଠାରେ ବର୍ଷା ଯୋଗୁଁ ଗୋରୁପଲ ଏକ ଗଛମୂଳେ ଆଶ୍ରୟ ନେଇଥିଲେ। ବଜ୍ରପାତ ହେବାରୁ ୩୪ ଗୋରୁ ଓ ୩୮ ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହିପରି ଭାଲିଆ ଡାଳଠାରେ ବଜ୍ରପାତରେ ୨ ଗୋରୁଙ୍କ ମୃତ୍ୟୁ ହୋଇଛି। ଖବରପାଇ ବାଂଶପାଳ ତହସିଲଦାର ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।