ବନ ବିଭାଗର ଚଢ଼ଉ, ୩ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ କାଠ ଜବତ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନର ବିଭିନ୍ନ ଅଞ୍ଚଳରେ ବନବିଭାଗ ଚଢ଼ଉ କରି ଲକ୍ଷାଧିକ ଟଙ୍କାର କାଠ ଜବତ କରିଛି। ସୂଚନା ଅନୁସାରେ ତେଣ୍ଡେରା କାଜୁ ଫ୍ୟାକ୍ଟ୍ରିରୁ ବନବିଭାଗ ୧୦୦ ଖଣ୍ଡ ଶାଗୁଆନ ପଟା ୪୦ ଖଣ୍ଡ ଶାଗୁଆନ ଗଣ୍ଡି ଜବତ କରିବା ସହ କାଜୁ ଫ୍ୟାକ୍ଟ୍ରି ମାଲିକ ମୟୂରଭଞ୍ଜ କରଞ୍ଜିଆର ମନୋଜ ବର୍ମାକୁ ଗିରଫ କରିଛି। ଗିରଫ ପରେ କୋଭିଡ ନିୟମ ଅନୁଯାୟୀ ବେଲ ବଣ୍ଡରେ ଛଡା ଯାଇଥିବା ଜଣାପଡ଼ିଛି।

ଏଥିସହ ପ୍ରଧାନପଡା ଗ୍ରାମ ଜଙ୍ଗଲରେ ମାଫିଆ ମାନେ କାଟି ରଖିଥିବା ୬ ଖଣ୍ଡ ଶାଳ ଗଣ୍ଡି ଜବତ କରାଯାଇଛି। ସେହିପରି ତୋଣ୍ଡ ଗ୍ରାମରୁ ଶାଗୁଆନ ଓ ଶାଳ ଗଛ କାଟି ଆଣି ଭୋଳପଡା ଗ୍ରାମର ଏକ ଘର ସମ୍ମୁଖରୁ ୪ଟି ଶାଗୁଆନ ଗଣ୍ଡି ଏବଂ ଦୁଇ ପିସ ଶାଳ ଗଣ୍ଡି ଜବତ ହୋଇଛି। ଚଢ଼ଉରେ ପାଟଣା ପୋଲିସ ସମେତ ଏସି ଏଫ ଅଜୟ କୁମାର ସାହୁ, ପାଟଣା ରେଞ୍ଜର ଟିକେଶ୍ୱର ମହାନ୍ତ, ଘଟଗାଁ ରେଞ୍ଜର ପ୍ରଭାତ କୁମାର କୁଅଁର, ଫରେଷ୍ଟର ମୋହିନୀ ମହାନ୍ତ, ଅମୂଲ୍ୟ ସେନାପତି ସାମିଲ ଥିଲେ। ଜବତ କାଠର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ପାଟଣା ରେଞ୍ଜର ସୂଚନା ଦେଇଛନ୍ତି।