ଅବକାରୀ ଟିମ୍‌କୁ ସଂଘବଦ୍ଧ ଆକ୍ରମଣ, ଗୋଟିଏ ପରିବାରର ୪ ଗିରଫ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜଧାନୀରେ ନିଶାବେପାରୀଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ଚୋରାରେ ନିଶାବେପାର କରିବା ସହ ଏମାନେ ଗୁଣ୍ଡାରାଜ୍ ଆରମ୍ଭ କରିଦେଇଛନ୍ତି। ଯଦି ସେମାନଙ୍କ ବିରୋଧରେ କିଏ ସ୍ୱର ଉଠାଉଛି, ତା’ହେଲେ ମାରିବାକୁ ବି ପଛାଉନାହାନ୍ତି। ଏମିତିକି ଚଢ଼ାଉ ସମୟରେ ଅବକାରୀ ଟିମ୍‌କୁ ମଧ୍ୟ ଛାଡ଼ିନାହାନ୍ତି। ଗୁରୁବାର ଭୁବନେଶ୍ୱର ଅବକାରୀ ଟିମ୍

ଭରତପୁର ହରପାର୍ବତୀ ସାହିରେ ଚଢ଼ାଉ କରିବାବେଳେ ସେମାନଙ୍କ ଉପରକୁ ଆକ୍ରମଣ ହୋଇଛି।
ନିଶାବେପାରୀମାନେ ଅବକାରୀ ଟିମ୍‌କୁ ସଙ୍ଘବଦ୍ଧ ଭାବେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଛନ୍ତି। କିଏ କାଠଫାଳିଆ ତ ପୁଣି କିଏ ଲୁହାରଡ୍‌ରେ ଅବକାରୀ ଟିମ୍‌କୁ ନିସ୍ତୁକ ପିଟିଛନ୍ତି। ଯାହାଫଳରେ ଅବକାରୀ ଟିମ୍‌ରେ ଥିବା ୧୭ ଜଣ କର୍ମଚାରୀ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୪ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଏଥିସହିତ ଜଣେ ମହିଳା ଅଧିକାରୀ ଆହତ ହେବା ସହ ଦୁର୍ବ୍ୟବହାରର ଶିକାର ମଧ୍ୟ ହୋଇଛନ୍ତି। ଘଟଣାସ୍ଥଳରେ ଭରତପୁର ଥାନା ପୁଲିସ ପହଞ୍ଚିବାରୁ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା।

ଏହି ଘଟଣାରେ ଭରତପୁର ଥାନା ପୁଲିସ କେସ୍ ନଂ ୧୭୧/୨୧ରେ ଏକ ମାମଲା ରୁଜୁ କରି ଦୁଇଜଣ ମହିଳାଙ୍କ ସମେତ ଗୋଟିଏ ପରିବାରର ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ଼ ଜିଲା ଓଡ଼ଗାଁର ଅରୁଣ ନାୟକ ଓରଫ ଅରୁ(୨୯), ଧୁସା ନାୟକ(୧୯), ସୁନିତା ନାୟକ(୨୦), ଅଲ୍ଲୀ ନାୟକ ଓରଫ କୁମାରୀ(୨୯)। ଏମାନଙ୍କ ଠାରୁ ୪୦ ଲିଟର ମଦ ଜବତ ହୋଇଥିବା ଜଣାପଡ଼ିଛି। ତେବେ ଅଭିଯୁକ୍ତମାନେ ଭରତପୁର ଥାନା ହରପାର୍ବତୀ ସାହିରେ ରହୁଥିବାବେଳେ ସେଠାରେ ଚୋରାରେ ମଦ ଓ ଗଞ୍ଜେଇ ବ୍ୟବସାୟ କରୁଥିଲେ।

ସୂଚନା ଅନୁଯାୟୀ, ଭରତପୁର ହରପାର୍ବତୀ ସାହିର କୁମାରୀ ନାୟକ ନାମ୍ନୀ ଜଣେ ମହିଳାଙ୍କ ଘରେ ଗଞ୍ଜେଇ ଓ ମଦ କାରବାର ହେଉଥିବା ଭୁବନେଶ୍ୱର ଅବକାରୀ ଥାନାର ଏସ୍‌ଆଇ ନିଳିମା ଜୟନ୍ତୀ ଖବର ପାଇଥିଲେ। ଗୁରୁବାର ସକାଳେ ନିଳିମା ତାଙ୍କର ଏକ ୧୭ ଜଣିଆ ଟିମ୍ ନେଇ ବସ୍ତିକୁ ଯାଇଥିଲେ। ସେଠାରେ କୁମାରୀ ଘରେ ଚଢ଼ାଉ କରାଯାଇ ଯାଞ୍ଚ କରାଯାଇଥିଲା। ଏହାପରେ ସେହି ଘରୁ ବିପୁଳ ପରିମାଣରେ ମଦ ବାହାରିଥିଲା। ସେହି ମଦକୁ ଅବକାରୀ ଟିମ୍ ଜବତ କରିବାବେଳେ କୁମାରୀର ପରିବାର ଲୋକେ ଚିହିଁକି ଉଠିଥିଲେ।

ଏହାପରେ କାଠଫାଳିଆ, ଲୁହାରଡ୍ ଧରି ଗୋଡ଼ାଇ ଆସିଥିଲେ। ଜଣକ ପରେ ଜଣେ ବାହାରି ଅବକାରୀ କର୍ମଚାରୀଙ୍କୁ ନିସ୍ତୁକ ପିଟିଥିଲେ। ଏମିତିକି ଏସ୍‌ଆଇ ନିଳିମାଙ୍କୁ ଆକ୍ରମଣ କରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଏହାଦେଖି ଅବକାରୀ ଟିମ୍ ଦୌଡ଼ି ପଳାଇବାକୁ ଉଦ୍ୟମ କରିବାବେଳେ ତାଙ୍କ ଉପରକୁ କୁମାରୀ ଓ ତା’ପରିବାର ପଥର ମାଡ଼ କରିଥିଲେ। ଏମିତିକି ଠେଙ୍ଗାରେ ଅବକାରୀ ଟିମ୍‌ର ଗାଡ଼ି କାଚ ଭାଙ୍ଗି ଦେଇଥିଲେ। ଏହାପରେ ଏସ୍‌ଆଇ ନିଳିମା ୧୦୦କୁ ଡାଏଲ୍ କରି ସାହାଯ୍ୟ ମାଗିଥିଲେ। ଘଟଣାସ୍ଥଳରେ ଭରତପୁର ଥାନା ପୁଲିସ ପହଞ୍ଚି ଅବକାରୀ ଟିମ୍‌କୁ ଉଦ୍ଧାର କରିଥିଲା। ଏହାସହ ଆକ୍ରମଣକାରୀଙ୍କୁ ଗିରଫ କରି ଥାନାକୁ ନେଇଥିଲା।