ମନ୍ଥର ଗତିରେ ଚାଲିଛି ଭୀମ ଭୋଇ ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ: ତୀବ୍ର ଅସନ୍ତୋଷ ପ୍ରକାଶ କଲେ ନରସିଂହ ମିଶ୍ର

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଭୀମ ଭୋଇ ମେଡିକାଲ କଲେଜ ପରିସରରେ ନିର୍ମାଣାଧୀନ ୬୫୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାର କାର୍ଯ୍ୟ ତଦାରଖ କରିଛନ୍ତି। ନିର୍ମାଣ କାର୍ଯ୍ୟର ମନ୍ଥରତାକୁ ନେଇ ସେ ନିର୍ମାଣକାରୀ ସଂସ୍ଥା ଓ ପ୍ରକଳ୍ପ ମ୍ୟାନେଜର ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଭୀମ ଭୋଇ ମେଡିକାଲର ନିର୍ମାଣ ଏଭଳି ମନ୍ଥର ଗତିରେ ଚାଲିଲେ ଏହା ଜୁନ ୨୦୨୨ ସୁଦ୍ଧା ସମ୍ପୂର୍ଣ୍ଣ କରାଯାଇ ପାରିବ ନାହିଁ। ତେବେ ଏଭଳି ସ୍ଥିତିରେ ଡିସେମ୍ବର ସୁଦ୍ଧା  ବିବିଏମସିଏଚ ମେଡିକାଲ କାମ ସମ୍ପୂର୍ଣ୍ଣ କରିବାକୁ ଶ୍ରୀ ମିଶ୍ର ଉପସ୍ଥିତ ପ୍ରକଳ୍ପ ମ୍ୟାନେଜର ଓ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ, ଗତବର୍ଷ ଡିସେମ୍ବର ମାସରେ ଶ୍ରୀ ମିଶ୍ର ବିଭାଗୀୟ ଯନ୍ତ୍ରୀ, ପ୍ରକଳ୍ପ ମ୍ୟାନେଜର ତଥା ସାଇଟ ଯନ୍ତ୍ରୀମାନଙ୍କ ସହିତ ସାଇଟ୍ ପରିଦର୍ଶନ କରିଥଲେ। ସେ ସମୟରୁ ଆଜି ପର୍ଯ୍ୟନ୍ତ ହସପିଟାଲ କାର୍ଯ୍ୟର ଖାସ ଅଗ୍ରଗତି ହୋଇପାରି ନାହିଁ। ଏହି ପ୍ରକଳ୍ପ ୨୦୨୨ ଜୁନ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ନିର୍ମାଣକାରୀ ସଂସ୍ଥା ତଥା ସରକାରଙ୍କ ଭିତରେ  ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା। କାର୍ଯ୍ୟର ଅଗ୍ରଗତିକୁ ଦେଖିଲେ ୨୦୨୨ ଜୁନ ମାସ ସୁଦ୍ଧା ଏହା ସମ୍ପୂର୍ଣ୍ଣ ହେବ ନାହିଁ ବୋଲି ସ୍ପଷ୍ଟ ଜଣାପଡୁଛି। ପ୍ରକଳ୍ପର ଅଗ୍ରଗତି ଉପରେ ଶ୍ରୀ ମିଶ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ୨୦୨୨ ଡିସେମ୍ବର ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟ ସମ୍ପୂଣ୍ଣ କରିବାକୁ ପ୍ରକଳ୍ପ ମ୍ୟାନେଜର ଆଶିଷ କର ତଥା ଅନ୍ୟାନ୍ୟ ଯନ୍ତ୍ରୀମାନଙ୍କୁ  ସିଧା ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ଏହି ୬୫୦ ଶଯ୍ୟା ବିଶିଷ୍ଟ ହସପିଟାଲ କ୍ୟାମ୍ପସ ଭିତରେ ମର ଶରୀର ସଂରକ୍ଷଣ ଗୃହ, ବିଦ୍ୟୁତ  ସବ ଷ୍ଟେଷନ ଓ ଷ୍ଟାଫ କ୍ୱାଟର ତଥା ନର୍ସ ମାନଙ୍କ ପାଇଁ ହଷ୍ଟେଲ ନିର୍ମାଣ ହେବା କଥା। କିନ୍ତୁ ନର୍ସ ହଷ୍ଟେଲ ଓ ଷ୍ଟାଫ କ୍ୱାଟରର ନିର୍ମାଣ କାର୍ଯ୍ୟ ମଧ୍ୟ ଧିମେଇ ଯାଇଥିବା ଶ୍ରୀ ମିଶ୍ର କ୍ଷୋଭର ସହିତ କହିଛନ୍ତି। ତେବେ ମେଡିକାଲ କଲେଜର ମୁଖ୍ୟ କୋଠା ନିର୍ମାଣରେ ପୂର୍ବତନ ନିର୍ମାଣ ସଂସ୍ଥା ଦ୍ୱାରା ଅନେକ ଜାଗାରେ ନିମ୍ନମାନର କାମ ହୋଇଥିବା ଦେଖା ଯାଇଥିଲା। ତେଣୁ ଏଠାରେ ତାହାର ପୁନରାବୃତ୍ତି ନକରିବା ପାଇଁ ପ୍ରକଳ୍ପ ମ୍ୟାନେଜରଙ୍କୁ ଶ୍ରୀ ମିଶ୍ର ସତର୍କ କରିଛନ୍ତି।