ମାନବିକତା ଦେଖାଇଲେ ଯୁବ କାଉନସିଲର; ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କଲା ହ୍ୟାପିଟୁ ହେଲ୍ପ ଫାଉଣ୍ଡେସନ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ମାନବିକତା ଦେଖାଇଲେ ସ୍ୱେଚ୍ଛାସେବୀ ଯୁବ କାଉନଶୀଲର ଯତୀନ ନାୟକ। ୫ ନମ୍ବର ୱାର୍ଡ ଅନ୍ତର୍ଗତ ଜକ୍ତିପାଲି ଠାରେ ଜଣେ ଅସହାୟ ବୃଦ୍ଧାଙ୍କ ମୃତ୍ୟୁ ପରେ ପଡି ରହିଥିବା ମୃତ ଦେହକୁ ହ୍ୟାପି ଟୁ ହେଲ୍ପ ଫାଉଣ୍ଡେସନ ସଦସ୍ୟଙ୍କ ସହାୟତାରେ ପ୍ରଧାନପାଟ ସ୍ୱର୍ଗ ଦ୍ୱାର ରେ ଅନ୍ତିମ ସତ୍କାର କରିଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଜକ୍ତିପାଲି ଠାରେ ଏକ କୁଡ଼ିଆରେ ଦୀର୍ଘ ଦିନ ଧରି ଦୀର୍ଜୁ ଶବର ଓ ବାସନ୍ତି ଶବର ନାମକ ବୃଦ୍ଧ ଦମ୍ପତି ରହୁ ଥିବା ବେଳେ ଆଜି ବୃଦ୍ଧା ବାସନ୍ତୀଙ୍କ ମୃତ୍ୟୁ ଘଟିଥିଲା।

ମୃତ ବୃଦ୍ଧାଙ୍କ କୌଣସି ସମ୍ପର୍କୀୟ ନଥିବା ଏବଂ ବୃଦ୍ଧାଙ୍କ ସ୍ୱାମୀ ଦୀର୍ଜୁ ମଧ୍ୟ ବାର୍ଧକ୍ୟ ଜନିତ ରୋଗ କାରଣରୁ ନିଜ କାମ କରିବାକୁ ଅସମର୍ଥ ଥିବାରୁ ସ୍ତ୍ରୀ ଙ୍କ ମୃତ୍ୟୁ ଘଟିଥିବା ଜାଣି ଅସହାୟ ହୋଇ ପଡ଼ିଥିଲେ। ମୃତ ଦେହ ସାହିରେ ପଡ଼ିଥିବା ନେଇ ସାହି ବାସିନ୍ଦାଙ୍କ ଠାରୁ ସୂଚନାପାଇ କାଉନସିଲର ଯତୀନ ନାୟକ ସେଠାରେ ପହଞ୍ଚି ଶବ ସତ୍କାର ପାଇଁ ପ୍ରସ୍ତୁତି କରିବା ସହ ହ୍ୟାପି ଟୁ ହେଲ୍ପ ଫାଉଣ୍ଡେସନ ସଦସ୍ୟଙ୍କ ସହାୟତା ରେ ଖଇ କଉଡ଼ିଠୁ ଯାବତୀୟ ସରଞ୍ଜାମ ଯୋଗାଇ ପ୍ରଧାନପାଟ ସ୍ଥିତ ସ୍ୱର୍ଗଦ୍ୱାରରେ ଉପସ୍ଥିତ ରହି ବୃଦ୍ଧା ବାସନ୍ତୀଙ୍କ ଶବ ସତ୍କାର କରିଥିଲେ l ଅନେକ ସ୍ଥାନରେ ମୃତ ଦେହ ସତ୍କାର ପାଇଁ ନିଜ ପରିବାର ପରିଜନ ମଧ୍ୟ ପଛ ଘୁଞ୍ଚା ଦେଉଥିବା ବେଳେ ଆଜିର ଦୃଶ୍ୟ ପୁଣି ଥରେ ପ୍ରମାଣିତ କରିଛି ଆଜି ମଧ୍ୟ ଅନେକ ନିସ୍ଵାର୍ଥ ବ୍ୟକ୍ତି ବିଶେଷଙ୍କ ଯୋଗୁଁ ସମାଜରେ ବଞ୍ଚିରହିଛି ମାନବିକତା l