ବନବିଭାଗର ଚଢ଼ଉ: ବହୁ କାଠ ସାମଗ୍ରୀ ଜବତ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ୨ଟି ଘର ଉପରେ ବନବିଭାଗ ପକ୍ଷରୁ ଚଢ଼ଉ କରାଯାଇ ବହୁ ମାତ୍ରାରେ କାଠ ସାମଗ୍ରୀ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରାଯାଇଛି। କୌଣସି ସୂତ୍ରରୁ ଖବରପାଇ ବନ ଅଧିକାରୀ ପ୍ରଦୀପ ଦେବୀଦାସ ମୀରୋସେଙ୍କ ନିର୍ଦ୍ଦେଶ କ୍ରମେ ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକ ସଦଳବଳେ ଦୁର୍ଗାଗୁଡ଼ି ସାହିର ଅଞ୍ଜନ ମହାରଣା(୨୧) ଓ ଆଶୀର୍ବାଦ କଲୋନୀର ଶ୍ରୀହରି ନାଗ(୪୦)ଙ୍କ ଘରେ ଚଢ଼ଉ କରିଥିଲେ। ଚଢ଼ଉରେ ୧୪୬ଟି ସାଇଜ ଓ ପଟା, ୨ଟି ଅର୍ଦ୍ଧ ନିର୍ମିତ ଖଟ, ଗୋଟିଏ ଅର୍ଦ୍ଧ ନିର୍ମିତ ଡାଇନିଂ ଟେବୁଲ ଓ ଯନ୍ତ୍ରପାତି ଜବତ କରାଯାଇଛି।

ଏନେଇ ପୁଲିସ ସେମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବାବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ବନାଞ୍ଚଳ ଅଧିକାରୀ ଶ୍ରୀନାୟକ ପ୍ରକାଶ କରିଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବନପାଳ ମୂରଲୀଧର ଅନୁଗୁଳିଆ, ଦିବାକର ଜେନା, ମୋହନ ଗୁଡ଼ିଆ, ରାଜେଶ କୁମାର ସେଠୀ, ବନରକ୍ଷୀ ରବୀନ୍ଦ୍ର ଖଣ୍ଡୁଆଳ, ହୃଷୀକେଶ ପାଣିଗ୍ରାହୀ, ସୁରେନ୍ଦ୍ର କୁମାର ଦେହୁରୀ, ସଚ୍ଚିଦାନନ୍ଦ ଜେନା, ଲଳିତା ହରିଜନ, ବାସନ୍ତୀ ମାଡ଼କାମିଙ୍କ ସମେତ ୨୦ ଜଣ କର୍ମଚାରୀ ଅଂଶଗ୍ରହଣ କରିଥିଲେ।