ଭୂମିହୀନଙ୍କୁ ଯୋଗ୍ୟତା ପ୍ରମାଣପତ୍ର ପ୍ରଦାନ କଲେ ବିଧାୟକ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବେଲପାହାଡ଼ ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୧୨ସ୍ଥିତ ଛୁଆଲିବେର୍ଣ୍ଣା ଗ୍ରାମରେ ଓଡ଼ିଶା ସରକାରଙ୍କ “ଜାଗା ମିଶନ’ ଯୋଜନାରେ ୪୪ଜଣ ଭୂମିହୀନଙ୍କୁ ବିଧାୟକ କିଶୋର କୁମାର ମହାନ୍ତି ଯୋଗ୍ୟତା ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ଭୂମିହୀନଙ୍କ ଦୁଃଖ ଦୂର କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଗା ମିଶନ ଯୋଜନା କରିଛନ୍ତି। ଏଥିରେ ରାଜ୍ୟର ପ୍ରତ୍ୟେକ ଭୂମିହୀନଙ୍କୁ ଜମି ପ୍ରଦାନ କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଏହାଦ୍ୱାରା ନିଜସ୍ୱ ଭୂମି ନଥିବାରୁ ଘର ତିଆରି କରି ପାରୁନଥିବା ଭୂମିହୀନଙ୍କୁ ଭୂମି ମିଳିବା ସହ ବିଜୁ ପକ୍କାଘର ଯୋଜନାରେ ସେମାନେ ଘରଟିଏ ମଧ୍ୟ ପାଇପାରିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମସ୍ତ ଭୂମିହୀନଙ୍କୁ ଜମି ଯୋଗାଇବା ଅସମ୍ଭବ ପରି ଲାଗୁଥିଲେ ହେଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ସମ୍ଭବ କରି ପାରିଛନ୍ତି। ରାଜ୍ୟରେ ଅଧିକାଂଶ ଭୂମିହୀନ ଏବେ ଜମି ଓ ବିଜୁ ପକ୍କାଘର ପାଇ ସାରିଥିବାବେଳେ ଆଗାମୀ ଦିନରେ ସମସ୍ତ ଭୂମିହୀନ ଗରିବଙ୍କୁ ଏହା ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମରେ ବେଲପାହାଡ଼ ପୌର ନିର୍ବାହୀ ଅଧିକାରୀ ଲୋକନାଥ ତିୱାରୀ, ବିଜେଡି ଉପସଭାପତି ଶମ୍ଭୁ ମହାନ୍ତି, ବିଶ୍ୱନାଥ ନାୟକ, ପୂର୍ବତନ ନଗରପାଳ ପର୍ଶୁରାମ ସାହୁ, କୈଳାସ ଚନ୍ଦ୍ର ନାୟକ, ଲମ୍ବୋଦର ରୋହିଦାସ ଓ ଦେବେନ୍ଦ୍ର ପ୍ରଧାନଙ୍କ ସହ ଗ୍ରାମବାସୀମାନେ ଉପସ୍ଥିତ ଥିଲେ।