ନୟାଗଡ଼,ଏନ୍ଏନ୍ଏସ୍: ନୟାଗଡ଼ ଜିଲ୍ଲା ରଣପୁର ବନାଞ୍ଚଳରୁ ଏସ୍ଟିଏଫ୍ ଚଢ଼ଉ କରି ବାଘ ଛାଲ ଜବତ କରିବା ଘଟଣାରେ ଆଜି ବନବିଭାଗ ସଂଗରୋଧ କେନ୍ଦ୍ରରୁ ଜଣଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି। ଏନେଇ ଅଞ୍ଚଳରେ ଆଲୋଡ଼ନ ପରିସ୍ଥିତି ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁସାରେ, ରଣପୁର ବ୍ଲକ ବନ୍ଧୁମୁଣ୍ଡା ପଞ୍ଚାୟତ ଜାମୁଗଣ୍ଡ ଗ୍ରାମର ସମିତିସଭ୍ୟ ଲକ୍ଷ୍ମୀଧର ନାୟକଙ୍କୁ ଏସଟିଏଫ୍ ପୂର୍ବରୁ ଗିରଫ କରିଥିଲା।
ଆଜି ବନବିଭାଗ ବାଘ ଲିଙ୍କରେ ଉକ୍ତ ଗ୍ରାମର ଭାସ୍କର ନାୟକଙ୍କୁ ସଂଗରୋଧରୁ ଉଠାଇ ନେଇଛି। ରଣପୁର ରେଞ୍ଜର ଶରତ ଶତପଥିଙ୍କ ନେତୃତ୍ୱରେ ଏକ ଟିମ ବାଉଁଶଗଡ଼ ସଂଗରୋଧରୁ ଭାସ୍କରଙ୍କୁ ଉଠାଇ ଆଣିଥିବା ଜଣାଯାଇଛି। ତେବେ ଗତ ୬ ତାରିଖରେ ଭାସ୍କର କେରଳରୁ ଫେରି ସଂଗରୋଧରେ ରହିଥିଲେ। ନିଜର ଅପାରଗତା ଲୁଚାଇବାକୁ କୋଭିଡ୍ ନିୟମ ଉଲଂଘନ କରାଯାଇ ବନବିଭାଗ ଏଭଳି କାର୍ୟ୍ୟ କରିଥିବା ବେଳେ ଏହା ଦ୍ୱାରା କରୋନା ବ୍ୟାପିବାର ସମ୍ଭାବନା ରହିଛି। ତେଣୁ ଜିଲ୍ଲାପାଳ ଏଦିଗରେ ଦୃଷ୍ଟି ଦେବାକୁ ରଣପୁର ବାସୀ ଦାବି କରିଛନ୍ତି।