ଚାଷୀଙ୍କ ପଞ୍ଜୀକରଣ ତାରିଖ ବୃଦ୍ଧି ପାଇଁ କିର୍ମିରା ବ୍ଲକର ବିଭିନ୍ନ ପ୍ୟାକ୍ସ ଘେରିଲା ବିଜେପି

ଝାରସୁଗୁଡା,ଏନ୍ଏନ୍ଏସ୍: ଧାନ ବିକ୍ରି କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ପଞ୍ଜୀକରଣ ତାରିଖକୁ ବୃଦ୍ଧି କରାଯାଉ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି। ଏଥିପାଇଁ ଆଜି ବିଜେପି ପକ୍ଷରୁ କିର୍ମିରା ବ୍ଲକର ବାଗଡିହି ଓ ଅର୍ଡ଼ା ପ୍ୟାକ୍ସ ଘେରାଉ କରାଯିବା ସହ ଦାବିପତ୍ର ପ୍ରଦାନ କରାଯାଇଛି। ବିଜେପି ପକ୍ଷରୁ କୁହାଯାଇଛି ଯେ, ଚାଷୀମାନେ ବର୍ତ୍ତମାନ ଚାଷକାମ କରିବାରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ଚାଷୀମାନଙ୍କୁ ଧାନ ବିକ୍ରି କରିବା ପାଇଁ ଅଗଷ୍ଟ ୧୫ ଯାଏଁ ପଞ୍ଜୀକରଣ ତାରିଖ ଦିଆଯାଇଛି। ଯଦି ଚାଷୀ ପଞ୍ଜୀକରଣ ପାଇଁ ଧାଇଁବ ତେବେ ଚାଷ କାର୍ଯ୍ୟରେ ସେମାନଙ୍କୁ ଅସୁବିଧା ହେବ। ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ପଞ୍ଜୀକରଣ ତାରିଖକୁ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଉବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି।

ବିଜେପି ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, କେନ୍ଦ୍ର ସରକାର ରାଜ୍ୟକୁ ଭରପୁର ମାତ୍ରାରେ ସାର ଯୋଗାଇ ଦେଇଛନ୍ତି। ଓଡ଼ିଶାରେ ଚାଷୀମାନେ ସାରର ନାହିଁ ନଥିବା ଅଭାବର ସମ୍ମୁଖୀନ ହେଉଛନ୍ତି ଏବଂ ବାହାରୁ କାଳାବଜାରୀ କରୁଥିବା ବ୍ୟବସାୟୀଙ୍କ ଠାରୁ କିଣିବାକୁ ବାଧ୍ୟ ହେଉଛନ୍ତି। ତେଣୁ ସରକାର ଏହି କାଳାବଜାରୀ ଉପରେ ରୋକ ଲଗାଇ ସାରକୁ ଉଚିତ୍ ମୂଲ୍ୟରେ ଚାଷୀଙ୍କୁ ଯୋଗାଇ ଦେବାର ବ୍ୟବସ୍ଥା କରନ୍ତୁ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଏହି ଅବସରରେ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ, ପ୍ରେମସେନ ରାୟ, ମୁରାରି ପାଣିଗ୍ରାହୀ, ନାୱାଲ୍ ଅଗ୍ରୱାଲ, ବିଜୟ ଶର୍ମା, ମନୋଜ କୋଲେଟ୍, ସନ୍ତୋଷ ପଟେଲ, ଝସ୍କେତାନ୍ ପ୍ରଧାନ, ଅମିତ୍ ରଣାଙ୍କ ସମେତ ଅନେକ କର୍ମୀ ଉପସ୍ଥିତ ଥିଲେ।