ନିୟମଗିରି ପାହାଡରୁ ବିପୁଳ ମାଓ ସାମଗ୍ରୀ ଜବତ, ମାଓବାଦୀଙ୍କ ଯୋଜନା ପଣ୍ଡ

ରାୟଗଡା/ଭବାନୀପାଟଣା,ଏନ୍ଏନ୍ଏସ୍: ରାୟଗଡା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ନିୟମଗିରି ପାହାଡରେ ଥିବା ତାଡିଝୋଲା ଗାଁ ନିକଟରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଛି। ସିଆରପିଏଫ ଚତୁର୍ଥ ବାଟାଲିୟନ ପକ୍ଷରୁ କୁମ୍ବିଂ ବେଳେ ଏହା ଜବତ ହୋଇଛି। ସେକେଣ୍ଡ ଇନ କମାଣ୍ଡେଣ୍ଟ ମିତୁ ରୟଙ୍କ ନେତୃତ୍ୱରେ ସିଆରପିଏଫ ଯବାନ କୁମ୍ବିଂ ଅପରେସନ କରିଥିଲେ। ସନ୍ଧାନୀ କୁକୁର ସହାୟତାରେ କୁମ୍ବିଂ ଅପରେସନ ଜାରି ରଖିଥିଲେ ଯବାନ। ଆଜି ସକାଳୁ ତଡିଝୋଲା ଗାଁ ନିକଟ ଏକ ଗୁମ୍ଫା ମଝିରେ କିଛି ମାଓ ସାମଗ୍ରୀ ରଖାଯାଇଥିବା ଜଣାପଡିଥିଲା। ଏହାକୁ ସନ୍ଧାନୀ କୁକୁର ଠାବ କରିଥିଲା।

ସେଠାରୁ ଏକ ମାଓ ବ୍ୟାନର ସହିତ ୨ ଟି ଦେଶୀ ବନ୍ଧୁକ, ୫ଟି ପଲିଥିନ, ୩୫ଟି ଗୁଳି, ଜିଲେଟିନ, ଗୋଟିଏ ଟେପ ରେକଡ଼ର, ଗୋଟିଏ ରିମୋଟ, ଫ୍ଲାସ, ୩ଟି ଷ୍ଟିଲ ଟିଫିନ ବୋମା, ୧୨ରୁ ୧୫ କେଜି ୟୁରିଆ, ୫୦ଟି ଡେଟୋନେଟର, ୩ଟି ଟର୍ଚ୍ଚ ଲାଇଟ, ୩ଟି କଲର ଟେପ, ୫୦ ମିଟର ପ୍ଲାଷ୍ଟିକ ଦଉଡି, ୨ଟି ଛତା, ୨ଟି ବ୍ୟାଟେରୀ, ୪ ପ୍ୟାକେଟ ନୁଡେଲ, ୧୩ ଟି ଖୋକା, ୧୦ ମିଟର ତାର ଜବତ ହୋଇଛି। ସେହିପରି ବ୍ୟାନରରେ ଜୁଲାଇ ୨୮ ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଗାଁ ଗାଁ’ରେ ସହିଦ ସପ୍ତାହ ପାଳନ କରନ୍ତୁ ବୋଲି ଉଲ୍ଲେଖ ଅଛି। ଅନ୍ୟାୟ ଓ ଦୁର୍ନୀତିକୁ ସମାପ୍ତ କରି ଏକ ସୁସ୍ଥ ସମାଜ ଗଠନ ସହ ଜନଯୁଦ୍ଧ ଜୋରଦାର କରନ୍ତୁ ବୋଲି ଉଲ୍ଲେଖ ରହିଛି।

ସିପିଆଇ ମାଓବାଦୀ ପ୍ରତିଷ୍ଠାତା ଚାରୁ ମଜୁମଦାର, କହ୍ନାଇ ଚାଟାର୍ଜୀ ସହିତ ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳି ସହ ଶେଷରେ ସିପିଆଇ ମାଓବାଦୀ ବା-ଘୁ-ନା ଡିଭିଜନାଲ କମିଟି ବୋଲି ଉଲ୍ଲେଖ କରିଛନ୍ତି। ଆଗକୁ କ୍ରାନ୍ତି ଦିବସରେ ମାଓବାଦୀ ମାନେ ଏକ ବଡ ଅଘଟଣ କରିବା ଯୋଜନା କରିଥିବା ବେଳେ ସିଆରପିଏଫ ଯବାନମାନେ ତାହା ଭଣ୍ଡୁର କରିଦେଇଛନ୍ତି। ଏହା ପୁଲିସ ପାଇଁ ଏକ ବଡ଼ ସଫଳତା ବୋଲି ରାୟଗଡା ସିଆରପିଏଫ ସେକେଣ୍ଡ ଇନ କମାଣ୍ଡେଣ୍ଟ ମିତୁ ରୟ ପ୍ରକାଶ କରିଛନ୍ତି।