ଗୋଆ ବିଧାନସଭା ବାଚସ୍ପତିଙ୍କ ତିନିଦିନିଆ ଓଡ଼ିଶା ଗସ୍ତ: ଓଡ଼ିଶା ବାଚସ୍ପତିଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗୋଆ ବିଧାନସଭା ବାଚସ୍ପତି ରାଜେଶ ପାଟନେକର ତିନିଦିନିଆ ଓଡ଼ିଶା ଗସ୍ତରେ ଆଜି ଭୁବନେଶ୍ୱରରେ ପହଞ୍ଚି ଓଡ଼ିଶା ବିଧାନସଭା ବାଚସ୍ପତି ଡ଼ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଓଡ଼ିଶା ବିଧାନସଭା ବାଚସ୍ପତି ଡ଼ ପାତ୍ର ଗୋଆ ବିଧାନସଭା ବାଚସ୍ପତି ଶ୍ରୀ ପାଟନେକରଙ୍କୁ ସମ୍ୱର୍ଦ୍ଧନା ଜ୍ଞାପନ କରିବା ସହ ଓଡ଼ିଶାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ର ପ୍ରଦାନ କରିଥିଲେ।

ଗୋଆ ବିଧାନସଭା ବାଚସ୍ପତି ମଧ୍ୟ ଓଡ଼ିଶା ବିଧାନସଭା ବାଚସ୍ପତିଙ୍କୁ ଉତ୍ତରୀୟ ପ୍ରଦାନ ସହ ଶ୍ରୀ ଗଣେଶଙ୍କ ଫଟୋ ଚିତ୍ର ପ୍ରଦାନ କରିଥିଲେ। ଉଭୟ ବାଚସ୍ପତିଙ୍କ ମଧ୍ୟରେ ଓଡ଼ିଶା ଓ ଗୋଆ ପ୍ରଦେଶର ଇତିହାସ, କଳା, ସଂସ୍କୃତି, ପର୍ଯ୍ୟଟନ ସ୍ଥଳ, ବିଧାନସଭାର କାର୍ଯ୍ୟଶୈଳୀ ପ୍ରଭୃତି ସମ୍ପର୍କରେ ଆଲୋଚନା ହୋଇଥିଲା। ଉଭୟ ବିଧାନସଭାର ବିଭିନ୍ନ କମିଟି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।

ଗୋଆ ଗସ୍ତରେ ଆସିବାକୁ ମଧ୍ୟ ବାଚସ୍ପତି ଡ଼ଃ ପାତ୍ରଙ୍କୁ ଗୋଆ ବାଚସ୍ପତି ପାଟନେକର ନିମନ୍ତ୍ରଣ କରିଥିଲେ ଏବଂ ବାଟସ୍ପତି ଡ଼ ପାତ୍ର ତାହାକୁ ଗ୍ରହଣ କରିଥିଲେ। ଆସନ୍ତା କାଲି ଏବଂ ଅଗଷ୍ଟ ୦୮ ତାରିଖ ଦିନ ସେ ସପରିବାର ପୁରୀ, କୋଣାର୍କ, ଚିଲିକା ଏବଂ ଅନ୍ୟ ଦର୍ଶନୀୟ ସ୍ଥାନ ପରିଭ୍ରମଣ କରି ଆସନ୍ତା ୯ ତାରିଖରେ ଗୋଆ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସାକ୍ଷାତ ସମୟରେ ବିଧାନସଭା ସଚିବ ଦାଶରଥୀ ଶତପଥୀ ମଧ୍ୟ ଯୋଗ ଦେଇଥିଲେ।