ବେଙ୍ଗାଲୁରୁ,ଏଜେନ୍ସି: କରୋନାର ଦୁଇ ଦୁଇଟି ଲହରରେ ଉଜୁଡି ଯାଇଛି ଅନେକ ପରିବାର। ଅନ୍ୟ ରାଜ୍ୟ ପରି କର୍ଣ୍ଣାଟକରେ ମଧ୍ୟ ବହୁସଂଖ୍ୟକ ପିଲାଙ୍କୁ ଅନାଥ କରିଦେଇଛି ଏହି ଘାତକ ମହାମାରୀ। ଏହାକୁ ଦୃଷ୍ଟିରେ ରଖି ସେହି ଅନାଥଙ୍କ ସହାୟତା ପାଇଁ ବଡ ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର। ‘ମୁଖ୍ୟମନ୍ତ୍ରୀ ବାଲ୍ ସେବା ଯୋଜନା’ ମାଧ୍ୟମରେ କରୋନାରେ ବାପା-ମାଆ ହରାଇଥିବା ପିଲାଙ୍କୁ ୩,୫୦୦ ଟଙ୍କା ମାସିକ ଭତ୍ତା ଦେବାକୁ ଶନିବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଘୋଷଣା କରିଛନ୍ତି।
ଏହି ପରିପ୍ରେକ୍ଷୀରେ ୟେଦୁରପ୍ପା କହିଛନ୍ତି, କେନ୍ଦ୍ର ସରକାର କରୋନାରେ ଅନାଥ ପିଲାଙ୍କ ଭରଣପୋଷଣ ପାଇଁ ରାଜ୍ୟକୁ ପରାମର୍ଶ ଦେବା ପରେ ବାଲ ସେବା ଯୋଜନା ପ୍ରସ୍ତୁତ କରାଯାଇଛି। ଯୋଜନା ମାଧ୍ୟମରେ ୧୦ ବର୍ଷରୁ କମ୍ ବୟସ୍କ ପିଲାଙ୍କୁ ଚାଇଲ୍ଡ କେୟାର ଅନୁଷ୍ଠାନରେ ଥଇଥାନ କରାଯିବ। ଏଥିସହ ସେମାନଙ୍କୁ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, କିଟୁର ରାନୀ ଚେନ୍ନାମା ଆବାସିକ ବିଦ୍ୟାଳୟ ଏବଂ ମୋରାର୍ଜୀ ଦେଶାଇ ଆବାସିକ ବିଦ୍ୟାଳୟ ପରି ମଡେଲ ଆବାସିକ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ ପାଇଁ ଭର୍ତ୍ତି କରାଯିବ। ଉଚ୍ଚ ଓ ଧନ୍ଦାମୂଳକ ଶିକ୍ଷାଲାଭ ପାଇଁ ସହାୟତା କରିବାକୁ ଦଶମ ଶ୍ରେଣୀ ପୂରଣ କରିଥିବା ଏହି ପିଲାମାନଙ୍କୁ ରାଜ୍ୟ ସରକାର ମାଗଣା ଲାପଟପ୍ ଏବଂ ଟାବଲେଟ୍ ବଣ୍ଟନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହ ୨୧ ବର୍ଷରୁ ଊର୍ଦ୍ଧ୍ୱ ଅନାଥ ଯୁବତୀଙ୍କ ବିବାହ ଏବଂ ଉଚ୍ଚ ଶିକ୍ଷା ବାବଦରେ ଏକ ଲକ୍ଷ ଟଙ୍କା ସହାୟତା ଦିଆଯିବ।