ମହାନଦୀରେ ବ୍ୟାରେଜ ନିର୍ମାଣ ଓ ସୁବର୍ଣ୍ଣପୁରକୁ ସବୁଜ ସୁନ୍ଦର କରିବା ଦାବିରେ ବାଇକ ଶୋଭାଯାତ୍ରା

ସୁବର୍ଣ୍ଣପୁର,ଏନ୍‌ଏନ୍‌ଏସ୍‌: ସୁବର୍ଣ୍ଣପୁରରେ ପାରଦ ପାଖାପାଖି ୪୫ ଡିଗ୍ରୀ ଛୁଇଁଛି । ଏବେ ଜିଲ୍ଲାବାସୀ ଏହାର ପ୍ରତିକାର ପାଇଁ ପ୍ରତିବାଦ ଆରମ୍ଭ କରିଛନ୍ତି । ମହାନଦୀର ବାଲି ଓ ପଥର ଯୋଗୁ ତାପମାତ୍ରା ବୃଦ୍ଧି ପାଉଥିବା ନେଇ ଆଲୋଚନା ହେଉଥିବାବେଳେ ରାମେଶ୍ୱର ବ୍ୟାରେଜ ଏହାର ସମାଧାନ ବୋଲି ବିଭିନ୍ନ ସଂଗଠନ ମତବ୍ୟକ୍ତ କରିଛନ୍ତି । ଏନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରାଯାଇଛି । କେବଳ ରାଜ୍ୟ ନୁହେଁ ସାରା ଦେଶରେ ଏବେ ସୁବର୍ଣ୍ଣପୁର ସହର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ତେବେ ତାତି ପଛରେ ମୃତ୍ତିକା କ୍ଷୟ, ଜଙ୍ଗଲ କ୍ଷୟ, ମହାନଦୀ ଓ ତେଲ ନଦୀର ତତଲା ବାଲି ବୋଲି ପରିବେଶବିତ ଓ ଜିଲ୍ଲାବାସୀ କହିଛନ୍ତି । ସେଥିପାଇଁ ଏହାର ସମାଧାନ ସହ ସହରକୁ ସବୁଜ ସୁନ୍ଦର ଓ ବ୍ୟାପକ ଜଙ୍ଗଲ ସୃଷ୍ଟି କରିବାକୁ ରାଜ୍ୟ ସରକାରଙ୍କ ପାଖରେ ଜିଲ୍ଲାବାସୀ ଦାବୀ କରିଛନ୍ତି । ଏହାର ପ୍ରତିବାଦରେ ଆଜି ସହରର ୧୫ଟି ସଂଗଠନର ପ୍ରତିନିଧିମାନେ ବାଇକ ଶୋଭା ଯାତ୍ରାରେ ଆସି ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ବାଇକ ଶୋଭାଯାତ୍ରା ବ୍ଲକ ଛକରୁ ବାହାରି ଆମ୍ବେଦକର ଛକ, ବିଜୁପଟ୍ଟନାୟକ ଛକ, ଗୁଣ୍ଡିଚା ମନ୍ଦିର, ଟିକିରିପଡ଼ା ଓ ପଟାଭାଡ଼ି ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲା । ସେଠାରେ ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ ମିଂଜଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ତୁରନ୍ତ ବ୍ୟାରେଜ ନିର୍ମାଣ ନହେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି । କୋଶଲ ସାହିତ୍ୟ ସଂସ୍କୃତି ଏକାଡେମିର ଆହ୍ୱାନକ୍ରମେ ସହରର ବିଭିନ୍ନ ସଂଗଠନର କର୍ମକର୍ତ୍ତା ଏହି ବାଇକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।