ନୂଆଦିଲ୍ଲୀ: ଦେଶରେ କରୋନାର ପ୍ରକୋପ ସବୁଠୁ ଅଧିକ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪ ହଜାର ୪୨୭ ହୋଇଥିବାବେଳେ ୯୨୧ ଜଣଙ୍କର ମୃତ୍ୟୁ ଘଟିଛି। ସେଥିପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗୋଆ ମୋଡେଲ ଆପଣାଇବାକୁ ପରାମର୍ଶ ଦେଇଛନ୍ତି। ମହାରାଷ୍ଟ୍ରର କିଛି ଜିଲ୍ଲା କରୋନାମୁକ୍ତ ଗୋଆରୁ ଶିକ୍ଷା ନେଇ କାମ କରିପାରିବେ ବୋଲି ସେ କହିଛନ୍ତି। ଗୋଆରେ ଯେପରି ଘରେ ଘରେ ବୁଲି ସର୍ଭେ କରାଯାଇ ରାଜ୍ୟକୁ କରୋନା ମୁକ୍ତ କରାଯାଇଛି ମହାରାଷ୍ଟ୍ରରେ ମଧ୍ୟ ସେହି ନୀତି ଆପଣାଇବାର ଆବଶ୍ୟକତା ରହିଛି। ଏଥି ସହିତ ଯେପରି ସଂକ୍ରମଣ ଆଉ କେଉଁଠିକୁ ନଯାଏ ସେଥିପାଇଁ କଣ୍ଟେନମେଣ୍ଟ ଜୋନକୁ ଅଧିକ ଗୁରୁତ୍ୱ ଦେବାକୁ ମଧ୍ୟ ଉଦ୍ଧବ କହିଥିଲେ।