୧୬୦୦ କି.ମି ସାଇକେଲ ଯାତ୍ରା କରି ଫେରିଲେ ପ୍ରବାସୀ

ଖୋର୍ଦ୍ଧା,ଏନ୍ଏନ୍ଏସ୍ : ଜୀବନ ବଞ୍ଚାଇବା ପାଇଁ ସାଇକେଲରେ ୧୬୦୦ କି.ମି ଯାତ୍ରା କରିଛନ୍ତି ପାଞ୍ଚ ଜଣ ପ୍ରବାସୀ ଓଡିଆ । ସେମାନେ ସୁରଟର ଭେଣ୍ଡାନ ସହରରୁ ସାଇକେଲରେ ବାହାରି ଆସି ବେଗୁନିଆ ବ୍ଳକ ଦେଉଳି ପଞ୍ଚାୟତରେ ପହଞ୍ଚିଛନ୍ତି । ପ୍ରବାସୀ ଓଡିଆମାନେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଓ ପୁରୀ ଜିଲ୍ଲା କଣାସ ଅଞ୍ଚଳର । ସେମାନେ ସୁରତର ଭେଣ୍ଡାନ ସହରରେ ଏକ ସୁତା ମିଲରେ ରହି କାମ କରୁଥିଲେ । କିନ୍ତୁ ଲକଡାଉନ ପରେ ସେମାନେ ସୁରଟରେ ରହିଯାଇଥିଲେ। ଲକଡାଉନ ପାଇଁ ସୂତା ମିଲ ବନ୍ଦ ହୋଇଯିବାରୁ ପାଖରେ ଥିବା ଟଙ୍କାରେ କିଛି ଦିନ ଚଳି ଯାଇଥିଲେ । ହେଲେ ଟଙ୍କା ସରିଯିବା ପରେ ନା ଦରମା ମିଳିଲା ନା ଖାଇବାକୁ । ସେମାନଙ୍କ ପାଖ ପଡ଼ିଶା ଘରେ କରୋନା ଆକ୍ରାନ୍ତ ବାହାରିଲା ପରେ ଡ଼ରି ଯାଇଥିଲେ । ସେମାନେ ଘରକୁ ଫେରିବାକୁ ନିଷ୍ପତ୍ତି ନେଲେ। ହେଲେ ବସ କି ଟ୍ରେନରେ ଆସିଲେ ସଂକ୍ରମଣର ଭୟ ଥିବାରୁ ନିଜ ସାଇକେଲରେ ସୁଦୂର ସୁରତରୁ ନିଜ ଗାଁ ଅଭିମୁଖେ ବାହାରିଥିଲେ। ୧୦ ଦିନ ସାଇକେଲରେ ଯାତ୍ରା କରି ମଙ୍ଗଳବାର ବେଗୁନିଆ ପହଞ୍ଚିବା ପରେ କିଛି ସମାଜସେବୀ ସେମାନଙ୍କୁ ଖାଇବା ପିଇବା ଦେଇ ସରକାରୀ କ୍ୱାରେଣ୍ଟିନରେ ରଖିଥିଲେ ।