ବନ୍ୟାରେ ପ୍ରଭାବିତ ହୋଇଛି ଆସାମ ଓ ବିହାର

ଗୁଆହାଟୀ,ପାଟନା,ଏଜେନ୍ସି: ଆସାମ ଓ ବିହାରରେ ବନ୍ୟା ପରିସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାକୁ ଲାଗିଛି। ଏହା ମଧ୍ୟରେ ଆସାମରେ ବନ୍ୟାରେ ୨୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି। ଏଥିସହିତ ୧୦୦ ଜଣଙ୍କ ମୃତ୍ୟୁ ହୋଇଛି। ଏନଡିଆରଏଫ ଟିମ୍ ପକ୍ଷରୁ ରାଜ୍ୟର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରବିବାର ଆସାମର ବନ୍ୟା ପ୍ରଭାବିତ ୮୫ଟି ଗ୍ରାମର ୨ ହଜାର ୬ ଶହ ଲୋକଙ୍କୁ ଥଇଥାନ କରାଯାଇଛି।

ଆସାମ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟର ୨,୫୪୩ ଗ୍ରାମ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଏଥିରେ ୧ ଲକ୍ଷ ୨୨ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଚାଷଜମି ନଷ୍ଟ ହୋଇଥିବା ସୂଚନା ରହିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୨ଟି ଜିଲ୍ଲାରେ ୪୯୬ଟି ରିଲିଫ୍ ବିତରଣ କେନ୍ଦ୍ରରେ ବନ୍ୟାଜଳ ପ୍ରଭାବିତ ଲୋକଙ୍କୁ ରିଲିଫ୍ ବଣ୍ଟନ କରାଯାଉଛି।

ସେହିପରି ବିହାର ବନ୍ୟାରେ ୧୦ଟି ଜିଲ୍ଲାର ୧୦ ଲକ୍ଷ ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିବାବେଳେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ୧୪ଟି ଏନଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ ହୋଇଛନ୍ତି। ବିହାର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୧୫ ହଜାର ୯୫୬ ଜଣଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି।