ଉତ୍ତର କୋରିଆରେ ପ୍ରଥମ କରୋନା ରୋଗୀ!

ଉତ୍ତର କୋରିଆ,ଏଜେନ୍ସି: ଉତ୍ତର କୋରିଆର କାଏସୋଙ୍ଗ ଅଞ୍ଚଳରେ ପ୍ରଥମ କରି ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତରେ ହୋଇଥିବା ଜଣାପଡ଼ିଛି। ଏହା ଜଣାପଡିବା ପରେ ଉତ୍ତର କୋରିଆର ଏକଚ୍ଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ସୀମାରେ ଥିବା କାଏସୋଙ୍ଗକୁ ଅଞ୍ଚଳକୁ ଲକଡାଉନ ଘୋଷଣା କରିଛନ୍ତି। କରୋନା ଆକ୍ରାନ୍ତ ଜଣଙ୍କ ୩ ବର୍ଷ ପୂର୍ବେ ଦକ୍ଷିଣ କୋରିଆ ଯାଇଥିଲେ। ସେ ଏବେ ବେଆଇନ ଭାବେ କାଏସୋଙ୍ଗ ଅଞ୍ଚଳକୁ ଆସିଛନ୍ତି। ଯଦି ଏହି ବ୍ୟକ୍ତିଙ୍କୁ ଆନୁଷ୍ଠାନିକ ଭାବରେ କରୋନା ରୋଗୀ ଘୋଷଣା କରାଯାଏ, ତେବେ ଉତ୍ତର କୋରିଆରେ ସେ ହେବେ ପ୍ରଥମ କରୋନା ରୋଗୀ।

ଏନେଇ ଉତ୍ତର କୋରିଆ ବାରମ୍ବାର କହିଆସୁଛି ଯେ, ତାଙ୍କ ଦେଶରେ କରୋନା ମାମଲା ନାହିଁ। କିନ୍ତୁ ଉତ୍ତର କୋରିଆର ଏହି ଦାବିରେ ଅନ୍ୟ ଦେଶର ବିଶେଷଜ୍ଞମାନେ ପ୍ରଶ୍ନ ଉଠାଇଛନ୍ତି। କୋରିଆ ସେଣ୍ଟ୍ରାଲ ନ୍ୟୁଜ୍ ଏଜେନ୍ସିର ସୂଚନା ମୁତାବକ, ଚିହ୍ନଟ ହୋଇଥିବା ଏହି ବ୍ୟକ୍ତିଜଣକ ଜଣେ ପଳାତକ। ସେ ଦକ୍ଷିଣ କୋରିଆକୁ ପଳାଇଥିଲେ ଏବଂ ଗତ ସପ୍ତାହରେ ବେଆଇନ ଭାବେ ଉତ୍ତର କୋରିଆ ସୀମାରେ ପ୍ରବେଶ କରିଛନ୍ତି। ସେ କରୋନାରେ ସଂକ୍ରମିତ ହୋଇଥିବା ତାଙ୍କ ଲକ୍ଷଣରୁ ଜଣାପଡିଛି। ଉକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ଉତ୍ତର କୋରିଆ ଚଳିତ ବର୍ଷ ପ୍ରାରମ୍ଭରେ ପ୍ରାୟ ସମସ୍ତ ସୀମାରେ ଯାତାୟାତ ବନ୍ଦ କରି ଦେଇଥିଲା। ବିଦେଶୀ ପର୍ଯ୍ୟଟକଙ୍କ ଆଗମନକୁ ବାରଣ କରାଯାଇଥିଲା ଏବଂ କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିଲା।